ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଅଦାନି ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତିଭାବେ ମାନ୍ୟତାଲାଭ କରିଛନ୍ତି । ଗୁରୁବାର ପ୍ରକାଶିତ ଫୋର୍ବସ ପତ୍ରିକା ରିପୋର୍ଟ ଅନୁଯାୟୀ ଅଦାନିଙ୍କ ସମ୍ପତ୍ତିର ମୋଟ ପରିମାଣ ହେଉଛି ୧୧୫.୫ ବିଲିୟନ ଡଲାର । ଏହିକ୍ରମରେ ଆଦାନୀ ମାଇକ୍ରୋସଫ୍ଟ କମ୍ପାନୀ ମାଲିକ ବିଲ୍ ଗେଟ୍ସଙ୍କୁ ପଛରେ ପକାଇଛନ୍ତି । ଗେଟ୍ସଙ୍କ ସମ୍ପତ୍ତି ପରିମାଣ ୧୦୪.୬ ବିଲିୟନ ଡଲାର ବୋଲି ରିପୋର୍ଟରୁ ଜଣାପଡିଛି । ଅଦାନିଙ୍କ କମ୍ପାନୀ ମୁଖ୍ୟତଃ ବନ୍ଦର ଓ ଏୟାରପୋର୍ଟଗୁଡିକର ମାଲିକାନା ସ୍ୱତ୍ୱ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ପାୱାର ଜେନେରେଟର, ଗ୍ୟାସ୍ ଓ ଇଣ୍ଟରନେଟ ବ୍ୟବସାୟରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରୁଛି ।
ଭାରତରେ ୫-ଜି ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭଡାଫୋନ୍ ଭଳି ଟେଲିକମ କମ୍ପାନୀ ସହ ଅଦାନି ଡାଟା ନେଟ୍ୱାର୍କସ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ଅପରପକ୍ଷରେ ଅନ୍ୟତମ ୯୦ ବିଲିୟନ ଡଲାର ସମ୍ପତ୍ତି ସହ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ତାଲିକାରେ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଅପରପକ୍ଷରେ ଟେସ୍ଲା ତଥା ସ୍ପେସ୍-ଏକ୍ସ କମ୍ପାନୀର ମାଲିକ ଏଲନ୍ ମସ୍କ୍ ୨୩୫.୮ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ମସ୍କ୍ ନିକଟରେ ଟ୍ୱିଟରକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ପୁଣି ଏହି ନିଷ୍ପତ୍ତିରୁ ଓହରିଯାଇଛନ୍ତି । ଏହାକୁ ନେଇ ବିବାଦର ସୂତ୍ରପାତ ଘଟିଥିବା ସତ୍ତ୍ୱେ ମସ୍କ୍ଙ୍କ ମାନ୍ୟତାରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ।