ନବରଙ୍ଗପୁର : ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ । ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ହୀରା ଦିଶାରୀ (୪୮) ଓ ମଧୁ ମାଝୀ (୪୦)। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ରଜାନାଗଫେଣୀ ଗାଁରେ।
ସୂଚନା ଅନୁଯାୟୀ, ଶନିବାର ହୀରା ଓ ମଧୁ କୌଣସି କାମରେ ନବରଙ୍ଗପୁର ଯାଇଥିଲେ। ରବିବାର ସକାଳେ ସେମାନେ ଘରକୁ ଫେରୁଥିବା ବେଳେ ହଠାତ୍ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇଥିଲା ଓ ସେମାନେ ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ହୀରାଙ୍କର ମୃତ୍ୟୁ ଘଟିଥିଲା। ମଧୁଙ୍କୁ ସ୍ଥାନୀୟ ଲୋକେ ଓ ମୈଦଲପୁର ପୁଲିସ୍ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।