ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା କ୍ରୁଜର । ଆଖି ପିଛୁଳାକେ ଚାଲିଗଲା ୭ ଜୀବନ । ଆଜି ସକାଳେ କିସ୍ତୱାର ଜିଲ୍ଲାର ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପ ନିକଟରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏହି ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ କ୍ରୁଜର ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡିବାରୁ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ, ଆଜି ସକାଳ ସାଢେ ୮ଟା ସମୟରେ ଦୁଙ୍ଗାଦୂରୁ ଗ୍ରାମ ପାଖରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରି କିସ୍ତୱାର ପୋଲିସ କହିଛି, ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ କ୍ରୁଜର ଭାରସାମ୍ୟ ହରାଇ ୩୦୦ ଫୁଟ ଗଭୀର ଖାଇକୁ ଖସିପଡିଛି । କ୍ରୁଜରରେ ୧୦ ଜଣ ଶ୍ରମିକ ଥିଲେ ।
ସମସ୍ତେ ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପରେ କାମ କରୁଥିଲେ । ଆଜି ସକାଳେ ଶ୍ରମିକମାନେ ଡଚାନ ଅଞ୍ଚଳରୁ କ୍ରୁଜରରେ ନିର୍ମାଣସ୍ଥଳକୁ ଯାଉଥିବା ସମୟରେ ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତକମାନେ ହେଲେ ସୁଦେଶ କୁମାର, ଅଖତର ହୁସେନ, ଅବଦୁଲ ରସିଦ, ମୁସାର ଅହମ୍ମଦ, ଇତଭା, ରାହୁଲ ଏବଂ କରନ । ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହ ଗୁଡିକୁ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କିସ୍ତୱାର ଡେପୁଟି କମିଶନର ଡ. ଦେବାଂଶ ଯାଦବ ସୂଚନା ଦେଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଡେପୁଟି କମିଶନରଙ୍କ ଠାରୁ ଘଟଣା ସମ୍ପର୍କରେ ଅଧିକ ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, ୭ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏନେଇ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ।