କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ରାଙ୍କି ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ହାଇୱା ଗାଡ଼ି ଚାପି ଦେବାରୁ ୩ ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସୋସୋ ଥାନା ଅନ୍ତର୍ଗତ ବାଙ୍ଗୋର ଗ୍ରାମର ହରେକୃଷ୍ଣ ନାୟକ(୫୦), ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଆଡ଼ିଆ ଗ୍ରାମର ଅଖିଳ କୁମାର ସେଠୀ(୪୨) ଓ ଢେଙ୍କା ଗ୍ରାମର ବଳଭଦ୍ର ନାୟକ (୩୪) । ଗତକାଲି ରାତିରେ ଘଟଗାଁ ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ୧୬ ଚକିଆ ହାଇୱା ଅନ୍ୟ ଏକ ଟ୍ରକକୁ ଓଭରଟେକ କରୁଥିବାବେଳେ ତା’ର ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ରକ୍ଷା କରି ନପାରି ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ୩ ଜଣ ଡ୍ରାଇଭରଙ୍କ ଉପରେ ଚଢ଼ି ଯାଇଥିଲା ।
ଘଟଣାସ୍ଥଳରେ ହରେକୃଷ୍ଣ ନାୟକ ଓ ଅଖିଳ କୁମାର ସେଠୀଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ବଳଭଦ୍ର ନାୟକଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେମାନେ ଟ୍ରକ ପାର୍କିଂ କରି ରାଙ୍କି ପେଟ୍ରୋଲ ପମ୍ପ ନିକଟରେ ଥିବା ଢାବାକୁ ଖାଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ହାଇୱାର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ୍ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ଏଏସ୍ଆଇ ଅନାମ ଚରଣ ମହାନ୍ତ ସୂଚନା ଦେଇଛନ୍ତି ।