ଗଜପତି : ମାଉସୀଙ୍କୁ ତାଙ୍କ ଘରେ ଛାଡ଼ିବାକୁ ବାଇକ୍ରେ ନେଉଥିଲେ ପୁତୁରା । ହେଲେ ଅଧା ରାସ୍ତାରେ ଦୁର୍ଘଟଣାରେ ସମ୍ମୁଖୀନ ହେଲା ବାଇକ୍ । ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ବାଇକ୍ । ଆଉ ଚାଲିଗଲା ମାଉସୀଙ୍କ ଜୀବନ । ମେଡ଼ିକାଲ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୁତୁରା । ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି । କନ୍ଧମାଳ ଜିଲ୍ଲା ଦାଶୀଙ୍ଗବାଡି ଗାଁର ହେମନ୍ତି ନାୟକ ବୁଳିବା ପାଇଁ ନିଜ ଭଉଣୀ ଘର ଅଡବା ଥାନା ବୁଡୁଶୁଲା ଗାଁକୁ ଯାଇଥିଲେ । ଆଜି ଅପରାହ୍ନରେ ସେ ନିଜ ଭଉଣୀର ପୁଅ(ପୁତୁରା) ଜଳେନ୍ଦ୍ର ବଳିଆର ସିଂଙ୍କ ବାଇକ୍ରେ ବସି ଘରକୁ ଫେରୁଥିଲେ । ତେବେ ଦମାଦୁଆ ନିକଟକରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା ।
ଉଭୟ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା ବିରିକୋଟ ପୂର୍ବତନ ସରପଞ୍ଚ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଅଡବା ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୋହନା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମୋହନା ମେଡିକାଲରେ ହେମନ୍ତିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ତେବେ ଜଳେନ୍ଦ୍ର ବଳିଆର ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେଠାରୁ ତାଙ୍କୁ ବ୍ରାହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।