ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଦୁର୍ଗାମଣ୍ଡପ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କଳିଙ୍ଗନଗରରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ଶୁଭ୍ରାଂଶୁ ସାହୁ (୨୨) । ମୃତ ଶୁଭ୍ରାଂଶୁଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ଶୁଭ୍ରାଂଶୁ ତାଙ୍କ ସାଙ୍ଗମାନଙ୍କ ସହ ଖଣ୍ଡଗିରି ଜୟଦେବ ବାଟିକାରେ ଭୋଜି କରିଥିଲେ । ଭୋଜି ସାରି ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହୋଇ ରାତି ପ୍ରାୟ ୧୨ଟା ବେଳକୁ ନିଜ କଳିଙ୍ଗନଗର ସ୍ଥିତ ଭଡା ଘରକୁ ଫେରୁଥିଲେ । ସେ ନିଜ ବାଇକ୍ରେ ଯିବାବେଳେ ଘାଟିକିଆ ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ହମ୍ପସ୍ରେ ଛେଚି ହୋଇ ଛିଟିକି ପଡ଼ିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା ।
ଭୀଷଣ ଶୀତ ଓ ଶୁନ୍ଶାନ୍ ରାତି ଯୋଗୁଁ ରାସ୍ତାରେ କେହିନଥିଲେ । କିଛି ସମୟ ପରେ ଭରତପୁର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଶୁଭ୍ରାଂଶୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।