ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାବେବିରା ଗ୍ରାମର ରାହୁଲ ସ୍ୱାଇଁ (୩୬)। ସୂଚନା ଅନୁସାରେ ମୃତକ ରାହୁଲ ବାଇକରେ ପେଟ୍ରୋଲ ଭରି ବାହାରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବାଇକ ଚାଳକ ଅତାବିରା ମିନାର ବନ୍ଧପଡ଼ାର ଗଙ୍ଗା ବାଗ(୨୭)। ଦୁର୍ଘଟଣା ପରେ ରାହୁଲଙ୍କ ମୃତ୍ୟୁ ହୋଇଥିବା ଜାଣି ଗଙ୍ଗା ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଯୁବକଙ୍କୁ ପୁଲିସ ଜିମା ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି।










