ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ମହିଳା ଏକାକୀ ଘରେ ଥିବା ସୁଯୋଗ ନେଇ ଘର ପଛପଟୁ ଦୁର୍ବୃତ୍ତ ପଶି ମହିଳାଙ୍କୁ ମାଡ ମାରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହାତ ମହିଳା ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ଗ୍ରାମର ପ୍ରଶାନ୍ତ କୁମାର ଜାନୀଙ୍କ ସ୍ତ୍ରୀ ସୁଦଷ୍ଣା ଜାନୀ (୨୩) ।ସୁଦଷ୍ଣାଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ବ୍ରହ୍ମପୁର ଏମକେସିଜିକୁ ଡ଼ାକ୍ତର ସ୍ଥାନାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ ପ୍ରଶାନ୍ତ କୁମାର ଜାନୀ କିଛି ବର୍ଷ ହେବ ମୋହନା ଅଞ୍ଚଳରେ ଜଣେ ବୁଲା ଲୁଗା ବ୍ୟବସାୟୀ ଭାବେ ଚଳି ଆସୁ ଥିଲେ। ସେ ଦେଢବର୍ଷ ହେବ ବାହା ହୋଇ ଚାନ୍ଦିପୁଟ ସ୍ଥିତ ଶିବମନ୍ଦିର ନିକଟସ୍ଥ ସାହିରେ ରହୁଥିଲେ। ତେବେ ସ୍ବାମୀ ପ୍ରଶାନ୍ତ ହାଟକୁ ଯାଇଥିବା ବେଳେ ଘରେ ଏକାକୀ ଥିଲେ ସୁଦଷ୍ଣା। ଏହାର ସୁଯୋଗ ନେଇ ଘର ବାରିପଟୁ ଦୁର୍ବୃତ୍ତ ପଶି ଆକ୍ରମଣ କରିବା ସହ ହାତ ଗୋଡକୁ ବାନ୍ଧି ପକାଇ ଦେଇଥିଲେ। ଗଳାରେ ଥିବା ମଙ୍ଗଳସୂତ୍ରକୁ ଛଡ଼ାଇ ନେବା ସହ ମାଡ ମାରି ପକାଇ ଦେଇଥିଲେ । ପ୍ରାୟ ୪ଟା ସମୟରେ ପଡୋଶୀ ଘର ଲୋକେ ଦେଖିବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଘଟଣା ସ୍ଥଳରୁ ସୁଦଷ୍ଣା ଜାନୀଙ୍କୁ ଉଦ୍ଧାର କରି ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ତାଙ୍କ ମୁଣ୍ଡରେ ଆଘାତ ହେତୁ ଅଚେତ୍ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ଏନେଇ ପରିବାର ଲୋକେ ୧୧୨କୁ ଯୋଗାଯୋଗ କରି ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।