ନୂଆଦିଲ୍ଲୀ : ବୁଧବାର ଫିରୋଜାବାଦର ନରଖୀ ପୋଲିସ ଷ୍ଟେସନ ପରିସରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି । ଯେଉଁଥିରେ ଲୋକଙ୍କ ଛାତି ଥରି ଉଠିଛି । ଏକ ବାଲି ଭର୍ତ୍ତି ଡମ୍ପର ଚାପାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ପେଟରୁ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ ଶିଶୁ-କନ୍ୟାଟିଏ ବାହାରି ପଡ଼ିଥିଲା । ତେବେ ନବଜାତ ଶିଶୁକୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଗ୍ରା ଧନୌଲି ନିବାସୀ ରାମୁଙ୍କ ପତ୍ନୀ କାମିନୀ (୨୬) ପ୍ରାୟ ଆଠ ମାସ ଗର୍ଭବତୀ ହୋଇଥିଲେ । ସ୍ୱାମୀଙ୍କ ସହ ବାଇକ୍ ଯୋଗେ ଫିରୋଜାବାଦର କୋଟଲା ଫରିହା ଅଞ୍ଚଳରେ ଥିବା ବାପଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ବିପରୀତ ପଟୁ ଆସୁଥିବା ଗୋଟାଏ କାର୍ ସହିତ ଧକ୍କା ଖାଇବାରୁ ବର୍ତ୍ତିବା ଲାଗି ଉଦ୍ୟମ କରୁଥିବା ବେଳେ କାମିନୀଙ୍କ ସ୍ୱାମୀ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବାରୁ କାମିନୀ ତଳେ ପଡ଼ିଯାଇଥିଲେ । ସେତିକି ବେଳେ ଦ୍ରୁତ ବେଗରେ ଆସୁଥିବା ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣା ପରେ ଗର୍ଭବତୀ କାମିନୀଙ୍କର ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ତାଙ୍କ ନବଜାତ ଶିଶୁକୁ କୌଣସି ଆଘାତ ଲାଗିନଥିଲା । ଏଥିସହିତ ନିରାପଦ ଥିବା ନବଜାତକର ଆବଶ୍ୟକ ଚିକିତ୍ସା ଚାଲିଛି । ବାଇକ୍ ଚଳାଉଥିବା ତା’ର ବାପା ମଧ୍ୟ ସୁସ୍ଥ ଅଛି । କିନ୍ତୁ, ଟ୍ରକ୍ ଚଳାଉଥିବା ଡ୍ରାଇଭର ଘଟଣାସ୍ଥଳରେ ଟ୍ରକ୍ ଛାଡ଼ି ପଳାଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଛି ।