23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶତ୍ୱରିତ ନ୍ୟାୟ ବ୍ୟବସ୍ଥା ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ

ତ୍ୱରିତ ନ୍ୟାୟ ବ୍ୟବସ୍ଥା ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ତ୍ୱରିତ ନ୍ୟାୟ ପ୍ରଦାନର ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜିଲ୍ଲା ନ୍ୟାୟପାଳିକାର ୨ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଛନ୍ତି, ମହିଳା ବିରୋଧୀ ଅପରାଧକୁ ରୋକିବା ପାଇଁ ଶୀଘ୍ର ନ୍ୟାୟ ପ୍ରଦାନର ଆବଶ୍ୟକତା ରହିଛି। ଏହାଦ୍ୱାରା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ନ୍ୟାୟ ପ୍ରଦାନ କ୍ଷେତ୍ରରେ ଘଟୁଥିବା ବିଳମ୍ବକୁ ଶେଷ କରିବା ପାଇଁ ବିଗତ ଏକ ଦଶନ୍ଧୀ ମଧ୍ୟରେ ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ ହୋଇଛି। ୧୦ ବର୍ଷ ମଧ୍ୟରେ ଦେଶରେ ନ୍ୟାୟିକ ଢାଞ୍ଚାର ବିକାଶ ପାଇଁ ୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବିଗତ ୨୫ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥ ସହ ସମାନ। ବର୍ତ୍ତମାନ ସମୟରେ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର, ତଥା ଶିଶୁ ସୁରକ୍ଷାକୁ ନେଇ ସମାଜରେ ଏକ ଗମ୍ଭୀର ଚିନ୍ତା ପ୍ରକଟିତ ହୋଇଛି। ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ଅନେକ କଠୋର ଆଇନ ପ୍ରଣୟନ ହୋଇଛି। ତଥାପି ଆମକୁ ଏହାକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡ଼ିତ ମାମଲାର ଯେତେ ଶୀଘ୍ର ନ୍ୟାୟ ଆସିବ, ଦୋଷୀକୁ ଦଣ୍ଡ ମିଳିବ, ସେତେ ମହିଳାଙ୍କ ସୁରକ୍ଷା ଉପରେ ଭରସା ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶବାସୀ କଦାପି ସୁପ୍ରିମକୋର୍ଟ, ହାଇକୋର୍ଟ, ନିମ୍ନ କୋର୍ଟ ସର୍ବୋପରି ନ୍ୟାୟପାଳିକା ଉପରେ କେବେ ବି ଅବିଶ୍ୱାସ କରନ୍ତି ନାହିଁ। ସୁପ୍ରିମକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଭାରତୀୟ ଗଣତନ୍ତ୍ରର ଜନନୀ ଭାବେ ଭାରତର ଗୌରବକୁ ଆହୁରି ରୁଦ୍ଧିମନ୍ତ କରିଛି। ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଭାରତୀୟ ସମ୍ବିଧାନ ଏବଂ ଏହାର ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଏହା ଏକ ଗଣତନ୍ତ୍ର ଭାବରେ ଭାରତ ଅଧିକ ପରିପକ୍ୱ ହେବାର ଯାତ୍ରା। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସୁପ୍ରିମକୋର୍ଟ ଦେଶବାସୀଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥିଲେ ଏବଂ ପ୍ରତିଥର ରାଷ୍ଟ୍ରୀୟ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ସର୍ବଦା ଜାତୀୟ ଅଖଣ୍ଡତାକୁ ସୁରକ୍ଷା ଦେଇଥିଲେ। ଏଥିରେ ‘ସତ୍ୟମେବ ଜୟତେ’ କୁହାଯାଉଥିବା ଘୋଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷକ ଭାବେ ବିବେଚନା କରାଯାଏ ଏବଂ ଏହା ଏକ ବଡ଼ ଦାୟିତ୍ୱ। ଏହି ଦାୟିତ୍ୱ ତୁଲାଇବା ପାଇଁ ସୁପ୍ରିମକୋର୍ଟ ଚମତ୍କାର ପ୍ରୟାସ କରିଛନ୍ତି ବୋଲି ଲୋକମାନେ ସନ୍ତୋଷର ସହ କହିପାରିବେ। ସେହିପରି ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଆଇନ୍‌ଗୁଡ଼ିକର ଭାବନା ହେଉଛି- ‘ନାଗରିକ ପ୍ରଥମେ, ସମ୍ମାନ ପ୍ରଥମେ ଏବଂ ନ୍ୟାୟ ପ୍ରଥମେ’। ସ୍ୱାଧୀନତାର ଅମୃତକାଳରେ ୧୪୦ କୋଟି ଦେଶବାସୀଙ୍କର କେବଳ ଗୋଟିଏ ସ୍ୱପ୍ନ ରହିଛି- ବିକଶିତ ଭାରତ, ନୂଆ ଭାରତ।

ଦିଲ୍ଲୀରେ ଆୟୋଜିକ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ବହୁ ବରିଷ୍ଠ ବିଚାରପତି ଏବଂ ଓକିଲ ଯୋଗ ଦେଇ ନିଜ ନିଜ ଅଭିବ୍ୟକ୍ତି ରଖିଥିଲେ। ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱତନ୍ତ୍ର ଭାବେ ନିର୍ମିିତ ଏକ ଷ୍ଟାମ୍ପ୍ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking