ଗାନ୍ଧୀନଗର: ଗୁଜୁରାଟରେ ହାଇଦ୍ରାବାଦ ବୀଭତ୍ସ ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପ୍ରେମ ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଯୁବତୀଙ୍କ ପରିବାର । ଗତ କିଛି ଦିନ ପୂର୍ବରୁ ମୁସଲିମ ଧର୍ମର ଯୁବତୀକୁ ପ୍ରେମ କରି ବିବାହ ପରେ ଯୁବତୀର ଭାଇ ପୋଛି ଦେଇଥିଲା ଭଉଣୀର ମଥାର ସିନ୍ଦୂର । ଏଠାରେ ମଧ୍ୟ ସମାନ ଘଟଣା ଘଟିଛି । ଗୁଜୁରାଟର ଜଙ୍ଗଲେଶ୍ବର ରାସ୍ତା ନିକଟରେ ମୁସଲିମ ଯୁବତୀଙ୍କୁ ପ୍ରେମ କରୁଥିବାରୁ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତକ ଯୁବକ ହେଉଛନ୍ତି ବିହାର ନିବାସୀ ମିଥୁନ ଠାକୁର । ସେ ଗୁଜୁରାଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ୧୮ ବର୍ଷର ଯୁବତୀ ସୁମିୟା କାଦିୱାରଙ୍କୁ ପ୍ରେମ କରୁଥିଲେ । ଉଭୟ ଜଙ୍ଗଲେଶ୍ବର ମୁଖ୍ୟ ରାସ୍ତା ନିକଟ ରାଧାକ୍ରିଷ୍ଣା ସୋସାଇଟିରେ ରହୁଥିବାବେଳେ ପରସ୍ପରର ଯୋଗାଯୋଗରେ ଆସିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ସେମାନେ ବିବାହ ପାଇଁ ସ୍ଥିର କରିଥିଲେ । ମିଥୁନ ସୁମିୟାଙ୍କ ଫୋନକୁ କଲ୍ କରିଥିଲେ । ହେଲେ ସୁମିୟାଙ୍କ ଭାଇ ସାକିର ଫୋନ ଉଠାଇଥିଲେ ।
ଏହାପରେ ସାକିର ମିଥୁନଙ୍କୁ ଧମକ ଦେଇଥିଲେ ଏବଂ ସୁମିୟାଙ୍କୁ ଯୋଗାଯୋଗ ନ କରିବା ପାଇଁ ଚେତାବନୀ ଦେଇଥିଲେ । ମିଥୁନଙ୍କ ପଡୋଶୀ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ସେ ତାଙ୍କୁ ରାଜକୋଟ ସିଭିଲ ହସ୍ପିଟାଲକୁ ନେଇଥିଲେ । ମିଥୁନଙ୍କୁ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ଜଣାପଡିବା ପରେ ତାଙ୍କୁ ଅହମ୍ମଦାବାଦ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଗତ ବୁଧବାର ମିଥୁନଙ୍କ ମୃତ୍ୟୁ ଘଟିଛି । ସୁମିୟାଙ୍କ ଭାଇ ସାକିର ମିଥୁନଙ୍କୁ ମାଡ଼ ମାରିବା ପରେ ଏପରି ଘଟିଥିବା ଜଣାପଡ଼ିଛି । ମିଥୁନଙ୍କ ମୃତ୍ୟୁର ଖବର ପାଇବା ପରେ ସୁମିୟା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଧାରୁଆ ଅସ୍ତ୍ର ସାହାଯ୍ୟରେ ହାତକୁ କାଟିଥିବା ଜଣାପଡ଼ିଛି । ତେବେ ସୁମିୟାଙ୍କୁ ହସ୍ପିଟାଲକୁ ଆଣିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି ।