ଭୁବନେଶ୍ୱର : ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲହୁ ଲୁହ ଢାଳି ଚାଲିଥିବା ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ହେଉଛନ୍ତି “ବାପା”। ଯାବତୀୟ ଝଡ଼ଝଞ୍ଜା ଭିତରେ ସେ ଘରକୁ ଆଣିଦେଇଥାନ୍ତି ଖୁସି। ଏଥିପାଇଁ ତାଙ୍କ ଦିନ ସରେନା କି ରାତି ବିତେନା। ନିର୍ଧୂମ ଖରାର ତାତି, ବାଦଲଫଟା ବର୍ଷାମାଡ଼, ମାଘ ମାସର ହାଡ଼ଭଙ୍ଗା ଜାଡ଼କୁ ଏକାକାର କରି ଜୀବନ ସହିତ ବାଜି ଖେଳନ୍ତି ସେ ନିଜ ପିଲାଙ୍କ ପାଇଁ। ଛୁଆଙ୍କୁ ଛାଇରେ ରଖି ଖରାରେ ଜଳିପାରନ୍ତି ବୋଲି ତ ସେ ବାପା।
ମନେ ହୁଏ ଆମେ ବାପାଙ୍କୁ ଖୁବ ଭଲ ଭାବରେ ଚିହ୍ନିଛୁ, ଜାଣିଛୁ, କିନ୍ତୁ ବେଳେ ବେଳେ ନିଜ ଉପରେ ବି ସନ୍ଦେହ ହୁଏ, ସତରେ କଣ ବାପାଙ୍କୁ ଚିହ୍ନିଛୁ, ଜଣିଛୁ?
କେବେ ମୁହଁ ଖୋଲି ଆଇ ଲଭ ୟୁ ବୋଲି କହି ପାରନ୍ତି ନି, କିନ୍ତୁ କେବେ ଚଗଲାମି କରିଲେ, କେବେ କିଛି ଭୁଲ କରି ଦେଲେ ବିରକ୍ତ ନିଶ୍ଚୟ ହୁଅନ୍ତି।
ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି, ବାପା ହେଉଛନ୍ତି ଏକମାତ୍ର ମଣିଷ ଜଣେ, ଯିଏ ଆମକୁ ବହୁତ ଭଲ ପାଆନ୍ତି ଅଥଚ ଏହାକୁ କେବେ ପ୍ରଦର୍ଶନ କରନ୍ତି ନାହିଁ। କାରଣ ଯେଉଁ ବାପା ସମଗ୍ର ଦୁନିଆକୁ ପରାସ୍ତ କରନ୍ତି, ସେ ନିଜ ପିଲାମାନଙ୍କ ସହିତ ଯୁଦ୍ଧ ନକରି ପରାଜୟକୁ ଗ୍ରହଣ କରନ୍ତି। ଆମେ ତାହା ବୁଝିଲା ବେଳକୁ ସେ ଆଉ ନ ଥାଆନ୍ତି। ତାଙ୍କ ଗାଳି ମଧ୍ୟରେ ଥାଏ ନିଚ୍ଛକ ଭଲ ପାଇବା ଓ ଠିକ୍ ମାର୍ଗରେ ଯିବା ପାଇଁ ବିବେକର ଛାଟ।
ନିଜର ସାର୍ଟ ଫାଟି ଗଲେ ଆମମାନଙ୍କ ଠାରୁ ଲୁଚେଇ ସିଲେଇ କରିଦେବା ପାଇଁ ମାଆକୁ ଦେଇଦିଅନ୍ତ।ନିଜର ଛିଣ୍ଢା ଚପଲ ଲୁଚାଇ ରଖନ୍ତି। କିନ୍ତୁ ଦରମା ପାଇଲେ ଆମ ପାଇଁ ନୂଆ ଜାମା, ନୂଆ ଯୋତା ନେଇ ଆସନ୍ତି।
ସନ୍ତାନସନ୍ତତିମାନଙ୍କ ପାଇଁ ଏ ଦୁନିଆର ସବୁଠାରୁ ଧନୀ ହେଉଛନ୍ତି- ବାପା। ଯିଏକି ପକେଟ ଖାଲି ଥାଇ ମଧ୍ୟ କୌଣସି ଜିନିଷ ପାଇଁ କେବେ ମନା କରନ୍ତି ନାହିଁ। ମାଆ ର ଅଜାଣତରେ ଘରକୁ ମାଛ ନେଇଆସନ୍ତି, ମାଆ ପଚାରନ୍ତି ଜୋତା କିଣିବାକୁ ଯାଇଥିଲ ଜୋତା କାହିଁ? ଜୋତାକୁ କୋଡ଼ିଏ ଟଙ୍କା ଦେଇ ସିଲେଇ କରାଇ ଦେଲି, ଦେଖ ଜୋତା ନୂଆ ଭଳି ହୋଇଗଲା, ଆଉ କିଛିଦିନ ଚାଲିଯିବ, ଟଙ୍କା ବଳିଲା ମାଛ ନେଇ ଆସିଲି, ମାଛ ଭାଜିଲ ପିଲାମାନେ ଖାଇବେ।”ବାପା” ଏକ ଡେବିଟ କାର୍ଡ ଯାହା ବାଲାନ୍ସ ନ ଥାଇ ମଧ୍ଯ ପିଲାମନଙ୍କର ସମସ୍ତ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରେ।
ଜଣେ ସ୍ବାମୀ ପାଇଁ ତା’ର ସ୍ତ୍ରୀ ରାଣୀ ହେଉ କି ନ ହେଉ କିନ୍ତୁ ଜଣେ ବାପା ପାଇଁ ତାଙ୍କ ଝିଅ ହୋଇଥାଏ ରାଜକୁମାରୀ। ଅଭାବ ଅନଟନ ଏଥିପାଇଁ ଅନ୍ତରାୟ ସାଜିପାରେନା। ବାପାଙ୍କ ପରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଝିଅଟି ନିଜକୁ ଭାଗ୍ୟବତୀ ମନେକରେ। ଏ ସଂସାରରେ ବାପା ଏପରି ଜଣେ ବ୍ୟକ୍ତି, ଯିଏ ସବୁବେଳେ ଚାହାନ୍ତି ଯେ ତାଙ୍କ ପିଲାମାନେ ତାଙ୍କଠାରୁ ବହୁତ ଆଗକୁ ଯାଆନ୍ତୁ। ଜୀବନରେ ଭଲ ମଣିଷ ହୁଅନ୍ତୁ। ଏ ସଂସାରରେ ସେମାନେ ଭାଗ୍ୟବାନ୍, ଯାହାଙ୍କ ମୁଣ୍ଡରେ ଅନବରତ ରହିଥାଏ ବାପାଙ୍କ ହାତ। ଜିଦ୍ ମଧ୍ୟ ପୂରଣ ହୋଇଯାଏ ଯଦି ବାପାଙ୍କ ସାଥ୍ ଥାଏ। ପରିବାର ପ୍ରତି, ଈଶ୍ୱରଙ୍କ ପ୍ରତି ସମର୍ପିତ ତଥା ବିଶ୍ୱସ୍ତ ବ୍ୟକ୍ତି ହେଉଛନ୍ତି କେବଳ ବାପା।
ଅଫିସରୁ ଫେରିଲେ ମାଆକୁ ନାଲି ଚାହା ତିଆରି କରିବାକୂ ବରାଦ କରନ୍ତି। ମାଆ ଯଦି କହେ କ୍ଷୀର ଅଛି ନାଲି ଚାହା କାହିଁକି ପିଇବ?
ଚାପା ଗଳାରେ ମାଆକୁ କହନ୍ତି ଥାଉ ରାତିରେ ଶୋଇଲା ପୃର୍ବରୁ ପିଲାମାନଙ୍କୁ ପିଇବାକୁ ଦେଇ ଦେବ।
ସବୁ ବେଳେ ସେଇ ଲୋକଟି ସେତିକି ଚିହ୍ନା ତାଠାରୁ ଅଧିକା ଅଚିହ୍ନା ହୋଇ ପଡେ। ଯେତିକି ଜଣାଶୁଣା ଲାଗେ, ତା ଠାରୂ ଅଧିକ ଅଜଣା ହୋଇଯାଏ।
ବାପା ସତେ ଯେମିତି ଛତା ଟିଏ, ନିଜେ ବର୍ଷାର ସବୁ ମାଡ ସହିଯାଏ, ପାଣିରେ ଓଦା ସରସର ହୋଇଯାଏ, କିନ୍ତୁ ତା ତଳେ ଠିଆ ହୋଇଥିବା ମଣିଷ ମାନଙ୍କ ଉପରେ ପାଣିଟୋପାଏ ପଡିବାକୁ ଦିଏନି, ସେମିତି ଘୋଡାଇ ରଖିଥାଏ, ପିତା ଏକ ପ୍ରଦୀପ ପରି, ଯାହା ନିଜକୁ ଜାଳି ପିଲାମାନଙ୍କ ଜୀବନକୁ ଆଲୋକିତ କରେ, କିନ୍ତୁ କେବେ କିଛି ଅଭିଯୋଗ କରେନା।
ଏ ଦୁନିଆରେ ସ୍ବର୍ଗ ଅଛି କି ନାହିଁ, ସେକଥା ଜଣା ନାହିଁ। କିନ୍ତୁ ଏକଥା ସତ ସ୍ବର୍ଗ ବୋଲି ଯାହା ଆମେ ଅନୁଭବ କରୁ , ତାହା ହେଉଛି ମାଆବାପାଙ୍କ ପାଦତଳ। ସେମାନେ ହେଉଛନ୍ତି, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ। ଜଣେ ଦେହ, ଆଉ ଜଣେ ଛାଇ। ମାଆଙ୍କ ବିନା ଘର ଲାଗେ ଅନ୍ଧାର ଆଉ ବାପାଙ୍କ ବିନା ଦୁନିଆଟା ଲାଗେ ଅନ୍ଧାର । ମାଆ ହାତଧରି ଦୁନିଆକୁ ଚିହ୍ନେଇ ଦିଅନ୍ତି, କିନ୍ତୁ ବାପା ନିଜ ସନ୍ତାନକୁ ଦୁନିଆରେ ପରିଚିତ କରାନ୍ତି। ଯିଏ ଆଖି ବନ୍ଦ ହେଲା ପର୍ଯ୍ୟନ୍ତ ଭଲ ପାଉଥାନ୍ତି ସେ ମାଆ, କିନ୍ତୁ ଯିଏ ଆଖିରେ ପ୍ରେମ ନ ଦେଖାଇ ମଧ୍ୟ ଭଲ ପାଆନ୍ତି ସେ ବାପା।
ଦେଖୁ ଦେଖୁ ବାପା ଧିରେ ଧିରେ ବୁଢା ହେବାର ଲାଗିଲେ। କେବେ କେବେ ମର୍ଣିଉଆକ କଲା ବେଳେ ଦେହମୁଣ୍ଡ ସାଥ୍ ଦିଏନାହିଁ । ପାର୍କରେ ଥିବା ସିମେଣ୍ଟ ବେଞ୍ଚରେ ବସି ପଡନ୍ତି।ଯାହା ସାରା ଅଡସ ପଡସରୁ ଜଣା ପଡିଯାଏ, ପିଲାମାନେ ପ୍ରଶ୍ନ କଲେ କହନ୍ତି “ଆରେ ଦାସବାବୁଙ୍କୁ ଅପେକ୍ଷା କରିଥିଲିପରା”, ପ୍ରଶ୍ନକୁ ଆଡେଇ ଯାଆନ୍ତି, ଭାବନ୍ତି ପିଲାମାନେ ବ୍ଯସ୍ତ ହୋଇପଡିବେ।
ଧିରେ ଧିରେ ସ୍ବାସ୍ଥ ଆଳରେ ଖୁରାକ କମେଇ ଦିଅନ୍ତି, କିନ୍ତୁ ପିଲାମାନଙ୍କ ଆଗରେ ବାହାସ୍ପୋଟ ମାରି କହନ୍ତି କିଛି ନାହିଁ ଅଳ୍ପ ଖାଇବା ସ୍ବାସ୍ଥପକ୍ଷେ ହିତକାରକ।
ଦିନେ ଯେଉଁ ପ୍ଯାଣ୍ଟ ସାର୍ଟ ପିନ୍ଧି ସ୍ମାର୍ଟ ଦିଶୁଥିଲେ ସେଇ ପ୍ଯାଣ୍ଟ ସାର୍ଟ ଧିରେ ଧିରେ ଢିଲାହେବାକୁ ବସିଲାଣି। କିନ୍ତୁ ଆଜିବି ଆଇନାରେ ନିଜକୁ ଦେଖିବା ପାଇଁ ବାହାନା କରି ଛିଡା ହୋଇ ଯାଆନ୍ତି। ନହେଲେ ମାଆ ଆଗରେ କଲେଜ ସମୟର ହୀରୋଗିରୀ ର ବଡ ଏକ୍ସପେରିମେଣ୍ଟ କୁ ବଖାଣିଲା ବେଳେ ମାଆ ତାହାକୁ ତାଚ୍ଛଲ୍ୟ ହସରେ ଜଣାଇ ଦିଏ, ଥିଲ ଏବେ କିନ୍ତୁ ବୁଢା।
ପ୍ରିୟ ବନ୍ଧୁ ସଖା ପରିଜନ ଭିତରେ କାହାର ଦେହାନ୍ତ ଖବର ଶୁଣିଲେ ଖୁବ ଘାବରେଇ ଯାଉଛନ୍ତି, ଆମକୁ ଶୁଣେଇ ଦିଅନ୍ତି ଯେ ଶରିର ଅଛି ମାନେ ମୃତ୍ୟୁ ଅନିର୍ବାଯ୍ଯ।
ରାତିରେ ବେଡ ଉପରେ ଯେତେ ବେଳେ ମାଆ ଟାରଗେଟ କରେ ନିଜେ ନିଜର ଯତ୍ନ ନେବା ଶିଖ ତାହାହେଲେ ମୁଁ ଯଦି ଆଗ ଚାଲି ଯାଏ ତମେ ତାହାହେଲେ କାହା ଉପରେ ବୋଝ ହେବ ନାହିଁ। ମାଆ ନିଶହିଅତ ଦେଇ ମାଆ ମୁହଁ ବୁଲାଇ ଶୋଇବାକୁ ଚେଷ୍ଟାକରେ,ବାପା କିନ୍ତୁ କିଛି ସମୟ ଗୁମ ହୋଇ ବସିଯାଆନ୍ତି। କେବେ କେମିତି ତ ଜଣା ନାହିଁ କିନ୍ତୁ ସମୟ ତ ପାଖେଇ ଆସିଲାଣି।
ପ୍ରତିବର୍ଷ ଫିକ୍ସି ଡିପୋଜିଟ ର ରିନିୟୁ ତାରିଖ ପାଖେଇ ଆସିଲେ ଦୁଇ ଦିନ ଆଗରୁ ପ୍ରସ୍ତୁତ ହୋଇଯାଆନ୍ତି। ନେଟ୍ ରେ ବିଭିନ୍ନ ସ୍କିମ ଦେଖନ୍ତି, ବିଭିନ୍ନ ପ୍ଲାନିଙ୍ଗିରେ ଲାଗିଯାଆନ୍ତି। କିନ୍ତୁ ନିଜ ପାଇଁ ନୁହେଁ ପିଲାମାନଙ୍କ ପାଇଁ। ପିଲାମାନ କେମିତି ଆହୁରି ଭଲରେ ରହିବେ ସେଥିପାଇଁ। ଏ ଆତ୍ମସନ୍ତୋଷ ବୋଧେ ବାପର ଗୋଟେ ଅହମିକା।
ଧିରେ ଧିରେ ନିଜର ସ୍ମୃତି ଧକା ଦେବାର ଲାଗିଲାଣି।କିଛି କିଛି ଭୁଲିବାରେ ଲାଗିଲେଣି। ଯଦି କଛି ନ ମିଳିଲା ବାପା ମାଆ ଦୁହେଁ ଦୁଇକୁ ଦୋଷ ଦେବାରେ ଭୁଲୁ ନାହାନ୍ତି, ପିଲାଙ୍କ ଭଳି ଝଗଡା କରୁଛନ୍ତି। ଗୋଟିଏ ବିଷୟକୁ ନେଇ ଲାଖି ଯାଉଛନ୍ତି। କିନ୍ତୁ ଭୁଲି ଯାଆନ୍ତି ଯେ ଅଧ ଘଣ୍ଟା ଆଗରୁ ଦୁହେଁ ଖୁବ୍ ଝଗଡା କରୁଥିଲେ। ଦୁହେଁ ଦୁଇକୁ ବିନା ବି ରହି ପାରୁନାହାନ୍ତି।
ଖବର କାଗଜ ପଢା ଅଭ୍ୟାସ ଛାଡି ପାରୁନାହାନ୍ତି। ଚାହେ ଘରେ ଯେତେ ବଡ ଟିଭି ଥାଉନା କାହିଁକି, ଯେତେ ଭଲ ସ୍ମାର୍ଟ ଫୋନ ଥାଉନା କାହିଁକି କିନ୍ତୁ ପଢିଲା ବେଳେ ବାରମ୍ବାର ଚଷମା କାଚ ପୋଛି ନେଉଛନ୍ତି କିନ୍ତୁ କେବେ କହୁ ନାହାନ୍ତି ଚଷମା ର କାଚ ବଦଳେଇବାର ସମୟ ଆସିଲାଣି। ପିଲାମାନଙ୍କର କାଳେ ଖର୍ଚ୍ଚ ବଢିଯିବ ସେଥିପାଇଁ ଏଲୋପାଥିକ ଔଷଧର ସାଇଡି ଇଫେକ୍ଟ କୁ ବଖାଣିବାରେ ଲାଗିଛନ୍ତି। ହୋମିଓପାଥି, ଆୟୁର୍ବେଦ ଯୋଗ କେତେ ହିତକାରୀ ତାହା ଦୋହଲାଇବାରେ ମୌକା ଛାଡୁନାହାନ୍ତି। ଯଦିଓ ଜାଣୁଛନ୍ତି ପିଲାମାନେ ସେବା କରିବାରେ କେବେ ପଛେଇବେ ନାହିଁ।
ଖରାଦିନ ଛୁଟି ପର୍ବପର୍ବାଣୀରେ ପିଲାମାନେ ଆସିବେ ବୋଲି ନିଜର ପୁରୁଣା ଘରକୁ ପୁଣି ସଜାଇ ଚାଲନ୍ତି। ପିଲାମାନେ କାଳେ ଖାପ ଖୋଆଇ ପାରିବେ ନାହିଁ ସେଥିପାଇଁ ସବୁ ମର୍ଡନ ଗେଜେଟ କୁ ଖୁନ୍ଦି ଚାଲନ୍ତି। ପିଲାମାନଙ୍କର ଫାର୍ମାସୀ ପୂରଣ କରିବା ପାଇଁ ରୋଷେଇ ଘର ଠାରୁ ମାର୍କେଟ ପର୍ଯ୍ୟନ୍ତ ବାରମ୍ବାର ଚକର କାଟନ୍ତି। ନାତିନାତୁଣୀମାନଙ୍କ ଗହଳରେ ଘର କେମିତି ଲାଗିବ ଖାଲି ସେତିକି ଭାବିଦେଇ ଆଖିର ଲୁହ ବାହାରି ଆସିଲେ ଲୁହ ପୋଛି ଦେଇ ଆଉ କେତେ କାମ ବାକି ଅଛି କହି ଉଠିପଡନ୍ତି।
ବାପାଙ୍କର ସ୍ନେହ- ପ୍ରେମ ସବୁବେଳେ ପାଉଥାଉ ବୋଲି ତ ପାଖରେ ଥାଇ ମଧ୍ୟ ଆମେ କେବେ କେବେ ତାଙ୍କୁ ଗୁରୁତ୍ୱ ଦେଇ ନ ଥାଉ। ବାପା ସବୁବେଳେ ପାଖରେ ଥିବା କାରଣରୁ ତାଙ୍କୁ ଅନୁଭବ ମଧ୍ୟ କରିପାରୁନା, କିନ୍ତୁ ସେତେବେଳେ ଅନୁଭବ କରୁ, ଯେତେବେଳେ ସେ ପାଖରେ ନ ଥାନ୍ତି। ଦୁଃଖ ଜର୍ଜରିତ ଜୀବନର ମରୁଭୂମିରେ ମନେପଡ଼ନ୍ତି ଆଶ୍ୱାସନାର ବାରିଧାରଟିଏ- ବାପା। ବିଷାଦଗ୍ରସ୍ତ ମନକୁ ଯେତେବେଳେ କେହି ବୁଝିପାରନ୍ତି ନାହିଁ, ବୁଝିବାକୁ ଚେଷ୍ଟା ମଧ୍ୟ କରନ୍ତି ନାହିଁ ସେତେବେଳେ ମନେପଡ଼ନ୍ତି- ବାପା। କେତେ ସମ୍ମୋହନ, କେତେ ଶିହରଣ, କେତେ ଆବେଗ ପୁଣି କେତେ ପୁଲକ ସତେ ଏ ଡାକରେ!
ବାପା ଥିଲେ ଦୁନିଆର ସବୁ ଖୁସି ଆସିଯାଏ ହାତମୁଠାକୁ। ତାଙ୍କ ହାତ ଧରିଥିଲେ ସାତ ସମୁଦ୍ର ତେର ନଈ ଲଙ୍ଘିବାକୁ ଭୟ ନ ଥାଏ। ତାଙ୍କ ଆଙ୍ଗୁଠି ଧରିଥିଲେ ଅବାଟ ବି ବାଟ ପାଲଟିଯାଏ। ବାଘ ବି ଫାଘ ବନିଯାଏ। ଛୁ ମାରେ ଭୟ। ସାରା ଦୁନିଆଟା ଲାଗେ ନିଜର ନିଜର।
(“ବାପା” କଲମର କାଳି ସରିବ, ଫର୍ଦ୍ଦ ଫର୍ଦ୍ଦ କାଗଜ ବି , ଏ ଚରିତ୍ର କୁ ବଖାଣିବା ମୋ ପକ୍ଷେ ଅବସମ୍ଭାବୀ। ଧନ୍ୟ ବାପା ଧନ୍ୟ ତମେ।)