26.1 C
Bhubaneswar
Saturday, September 21, 2024
Homeଓଡିଶାନ୍ୟାୟରୁ ବଞ୍ଚିତ ହୀରାକୁଦ କ୍ଷତିଗ୍ରସ୍ତ

ନ୍ୟାୟରୁ ବଞ୍ଚିତ ହୀରାକୁଦ କ୍ଷତିଗ୍ରସ୍ତ

ଇବ୍‌ଥର୍ମାଲ : ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରଗୁଡ଼ିକ ୭ ଦଶନ୍ଧି ପରେ ମଧ୍ୟ ଉପଯୁକ୍ତ ଥଇଥାନ ଯୋଜନାରୁ ବଞ୍ଚିତ ଅଛନ୍ତି। ଇତିମଧ୍ୟରେ ତୃତୀୟ ପିଢ଼ି ହୋଇଗଲାଣି; ମାତ୍ର ବିସ୍ଥାପିତ ପ୍ରମାଣପତ୍ର ଅଥବା ଜମିପଟ୍ଟା ମିଳିନଥିବାରୁ ଏସବୁ ପରିବାର ଜବରଦଖଲକାରୀର ପରିଚୟ ନେଇ ବସତି ସ୍ଥାପନ କରିଛନ୍ତି।

ଜନପ୍ରତିନିଧି ଓ ବିସ୍ଥାପିତଙ୍କ ଦୀର୍ଘ ଦିନର ସଂଘର୍ଷ ଫଳରେ ୨,୫୦୮ ପରିବାରକୁ ଡିସି ପଟ୍ଟା ପ୍ରଦାନ କରାଯାଇଥିଲା। ​‌ଏହାବ୍ୟତୀତ ଅନ୍ୟ ୨୬୬ ପରିବାର ଡିସି ପଟ୍ଟ​‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ସେମାନେ ମିଳୁନାହାନ୍ତି କି ନିଜେ ଆସୁନଥିବାରୁ ପଟ୍ଟା ନିୟମିତ କରାଯାଇ ପାରୁନାହିଁ ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତ ମାର୍ଚ୍ଚ ୨୩ ତାରିଖ ବିଧାନସଭାରେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଥିଲେ। ଝାରସୁଗୁଡ଼ା ଜିଲାରେ ୨,୨୯୩ ପରିବାରକୁ ୧୦ ଡେସିମିଲ ଲେଖାଏଁ ବାସଯୋଗ୍ୟ ଜମି ପ୍ରଦାନ କରାଯାଇଛି।

ତା ଛଡ଼ା ୬୧୯ ପରିବାରକୁ ୫୩ଲକ୍ଷ ୪ହଜାର ୧୦ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଅନୁରୂପ ଭାବେ ଝାରସୁଗୁଡ଼ା ଜିଲାର ସର୍ବେକ୍ଷଣ ପରିସରଭୁକ୍ତ ନଥିବା ୩୨ଟି ଗ୍ରାମ ଗୁଡ଼ିକର ବନ୍ଦୋବସ୍ତ, କ୍ଷତିପୂରଣ ଓ ଡିମି ପଟ୍ଟା ପ୍ରଦାନ ପାଇଁ ଦାବି ହେଉଛି। ତେବେ ଏଥିମଧ୍ୟରୁ ୧୯ଟି ଗ୍ରାମକୁ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ବେକ୍ଷଣ କରାଯାଇ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ସର୍ବେକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଜବାବ ରଖିଛନ୍ତି। ହେଲେ ଏବେ ବି ଅନେକ ଯୋଗ୍ୟ ପରିବାର ଜମି ପଟ୍ଟା​‌ ନ ପାଇ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି।

ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ହୀରାକୁଦ ନଦୀବନ୍ଧ ତିଆରି ସମୟରେ ୧୧୬ଟି ଗ୍ରାମ ସମ୍ପୂର୍ଣ୍ଣ ଅଧିଗ୍ରହଣ କରାଯାଇଥିବା ବେଳେ ୪୮ଟି ଗ୍ରାମର କେବଳ ବସ୍ତି ଓ ୮୫ଟି ଗ୍ରାମର କେବଳ ଜମି ଅଧିଗ୍ରହଣ କରାଯାଇଥିଲା। ପୁନଶ୍ଚ ୬୩୦ରୁ ୬୩୨ ଜଳସ୍ତର ମଧ୍ୟରେ ୩୨ଟି ଗ୍ରାମ ଅଧିଗ୍ରହଣ କରାଯାଇଥିଲା। ନଦୀବନ୍ଧ ଯୋଜନା​‌େ​‌ର ୨୬,୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ସମ୍ବଲପୁରର ୧୮ଟି ଗ୍ରାମରେ ଥଇଥାନ କଲୋନୀ ନିର୍ମାଣ କରାଯାଇ ୩୮ଟି ଗ୍ରାମର ଲୋକମାନଙ୍କୁ ଥଇଥାନ କରାଯାଇଥିବା ମନ୍ତ୍ରୀ କହିଥିଲେ। ଝାରସୁଗୁଡ଼ା ଜିଲାରେ ୫୫ଟି ଗ୍ରାମରେ ବିସ୍ଥାପିତମାନେ ନିଜେ ନିଜେ ବସତିସ୍ଥାପନ କରିଥିଲେ। ନଦୀବନ୍ଧ ପ୍ରକଳ୍ପରୁ ସମ୍ପ୍ରତି ବିଭାଜିତ ପରିବାର ପ୍ରାୟ ୯୬ହଜାରକୁ ପହଞ୍ଚିଲାଣି। ଏଥିମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ସୋନପୁର ଜିଲାରେ ହାରାହାରି ୮୪ହଜାର ପରିବାର ବସବାସ କରୁଥିବା ବେଳେ ଛତିଶଗଡ଼ ରାଜ୍ୟର ୪ଟି ଜିଲାରେ ୧୬ହଜାର ପରିବାର ନିଜସ୍ୱ ଉଦ୍ୟମରେ ବସବାସ କରୁଛନ୍ତି ।

ଏଥିମଧ୍ୟରୁ ଝାରସୁଗୁଡ଼ା ଜିଲାର ଲଖନପୁର ଓ ଝାରସୁଗୁଡ଼ା ବ୍ଲକ ଏବଂ ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକର ବିସ୍ଥାପିତ ନଦୀବନ୍ଧ ପରେ ଶିଳ୍ପରେ ବିସ୍ଥାପିତ ହେଉଥିଲେ ହେଁ ଜମିପଟ୍ଟା ଓ ପ୍ରମାଣପତ୍ର ଅଭାବରୁ କ୍ଷତିପୂରଣ ଓ ଥଇଥାନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରି କୁହାଯାଇଛି ସରକାର ପ୍ରତିବର୍ଷ ପକ୍ଷୀ ଗଣନା କରୁଛନ୍ତି। ହେଲେ ତିନି ପିଢ଼ି ହେଲା ହୀରାକୁଦ ପ୍ରକଳ୍ପରୁ ବିସ୍ଥାପିତ ହୋଇ ଜୀବନ ସଂଘର୍ଷ କରୁଥିବା ପରିବାର ଗୁଡ଼ିକୁ ଚିହ୍ନଟ କରି ପାରୁନାହାନ୍ତି। ଏହାକୁ ନେଇ ଆସନ୍ତା ୧୪ ତାରିଖ ଉପର ମହାନଦୀ ଅବବାହିକା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଗ୍ରାମ ସମିତିର ସଦସ୍ୟ ଲୋକନାଥ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking