ଲକ୍ଷ୍ନୌ: କେରଳ ପରେ ଉତ୍ତରପ୍ରଦେଶରେ କୁକୁର ଆତଙ୍କ । ୫ ବର୍ଷର ଶିଶୁକନ୍ୟାକୁ ଝୁଣି ଖାଇଲେ କୁକୁର ପଲ । ଆଗ୍ରା ଜିଲ୍ଲାର ଡାଉକି ଅଞ୍ଚଳ କୁଇ କୁମାରଗଡ ଗ୍ରାମରେ ଏହି ଘଟଣା ଘଟିଛି । ଏକ ପାର୍କରେ ଦୁଇ ଜଣ ଶିଶୁକନ୍ୟା ଖେଳୁଥିବା ବେଳେ ୬ଟିକିଆ କୁକୁର ପଲ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଆହତ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର କୁଇ କୁମାରଗଡ ଗାଁର ବାସିନ୍ଦା ସୁଗ୍ରିଭାଙ୍କ ୫ବର୍ଷର ଝିଅ କାଞ୍ଚନ ପଡୋଶି ଘରର ଶିଶୁକନ୍ୟା ରଶ୍ମିଙ୍କ ସହ କିନୁ ପାର୍କରେ ଖେଳୁଥିଲେ । ଏହି ସମୟରେ ହଠାତ ୬ ଟିକିଆ କୁକୁର ପଲ ଉଭୟଙ୍କୁ ଗୋଡ଼ାଇବା ସହ ଆକ୍ରମଣ କରିଥିଲେ ।
ଉଭୟ ଭୟରେ ଦୌଡୁଥିବା ବେଳେ କାଞ୍ଚନଙ୍କୁ କୁକୁରଗୁଡ଼ିକ ଝୁଣି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶିଶୁକନ୍ୟାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଦୁଇ ଶିଶୁକନ୍ୟା ପାର୍କରେ ଖେଳୁଥିବା ବେଳେ ୬ଟି କୁକୁର ତାଙ୍କୁ ଆକ୍ରମଣ କରିଥିଲେ । ଦୁଇ ଶିଶୁକନ୍ୟାଙ୍କୁ କୁକର ମାନେ ପାଖ ଏକ କ୍ଷେତକୁ ଟାଣି ନେଇଥିଲେ । ଏହି ସମୟରେ କାଞ୍ଚନ ଚିତ୍କାର କରିଥିଲା । କିନ୍ତୁ କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇଁ ଦୁଇ ଶିଶୁକନ୍ୟାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । କାଞ୍ଚନ ଓ ରଶ୍ମିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ କାଞ୍ଚନଙ୍କୁ ମୃତ ଘୋଷଣା କରିଥିଲେ । ରଶ୍ମୀ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।
କୁକୁର ଆକ୍ରମଣରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଡିସିପି ସୌମେନ୍ଦ୍ର ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଗତକାଲି କେରଳରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଭିନ୍ନକ୍ଷମ ନାବାଳକଙ୍କର ମୃତ୍ୟୁ ହୋଇଥିଲା । କେରଳର କନ୍ନୁର ଜିଲ୍ଲା ମୁଜାପିଲାଙ୍ଗଡରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ପ୍ରାଣ ହରାଇଥିବା ୧୦ ବର୍ଷୀୟ ନାବାଳକ ସ୍ଥାନୀୟ ଅଞ୍ଚଳର ନିହାଲ ବୋଲି ଜଣାପଡିଥିଲା । ତେବେ ଏହି ନାବଳକଟି କଥା କହିପାରୁନଥିଲା । ସୋମବାର ସନ୍ଧ୍ୟା ସମୟରେ ସେ ଘର ନିକଟରେ ଖଳୁଥିବା ବେଳେ ବୁଲା କୁକୁରଙ୍କ ଏକ ପଲ ତାକୁ ଆକ୍ରମଣ କରିଥିଲେ ।