27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ

ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗରମ ଖିରି ହଣ୍ଡାରେ ପଡ଼ି ଜଣେ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଖିରି ଖାଇବାକୁ ଜିଦ୍ କରିଥିଲା । ସେଥିପାଇଁ ତା’ ଜେଜେ ଖିରି ହଣ୍ଡାର ଘୋଡଣୀ କାଢ଼ି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦେଇଥିଲେ । ଫଳରେ ଅସାବଧାନତା ବଶତଃ ଶିଶୁକନ୍ୟା ଜେଜେ ଆଖି ସାମ୍ନାରେ ହଣ୍ଡା ଭିତରକୁ ଖସି ପଡିଥିଲା । ଖରି ଅତ୍ୟଧିକ ଗରମ ଥିବାରୁ ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, କୁଶୀନଗର ରାମକୋଲା ଥାନା ଅନ୍ତର୍ଗତ ରାମପୁର ବଗହା ନିବାସୀ ଅଶୋକ ଯାଦବଙ୍କ ପୁଅ ନାଥୁ ଯାଦବଙ୍କ ଘରେ ଛଟ୍ ପୂଜା ଥିଲା । ଏହି ଅବସରରେ ମଙ୍ଗଳବାର ସେ ନିଜର ସମ୍ପର୍କୀୟମାନଙ୍କୁ ଭୋଜନ ପାଇଁ ଘରକୁ ଆମନ୍ତ୍ରିତ କରିଥିଲେ । ଏହି ଖାଇବା ପ୍ରସ୍ତୁତ କରିବାକୁ ନାଥୁ ଯାଦବ ନିଜ ଗାଁର ପ୍ରେମ ସାଗର ନାମକ ବ୍ୟକ୍ତିକୁ ଡକାଇଥିଲେ । ପ୍ରେମ ସାଗର ଖିରି ତିଆରି କରୁଥିଲେ । ଏତିକି ବେଳେ ସେଠି ତାଙ୍କର ୫ ବର୍ଷୀୟ ନାତୁଣୀ କାବ୍ୟା ପହଞ୍ଚିଥିଲା ।

ଜେଜେ ଖିରି କରୁଥିବା ଦେଖି ପିଲାଟି ଖାଇବାକୁ ଜିଦ୍ କରିଥିଲା । ତେଣୁ ଜେଜେ ନାତୁଣୀକୁ ଖିରି ଖାଇବାକୁ ଦେବାକୁ ହଣ୍ଡା ଘୋଡଣୀ ଉଠାଇ ଦେଇଥିଲେ । ଯାହାଫଳରେ ଖିରି ଶୀଘ୍ର ଥଣ୍ଡା ହୋଇପାରିବ । ଏହାପରେ ପ୍ରେମ ସାଗର ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ । ଏହି ସମୟରେ ପିଲାଟି ସେଠାରୁ ଖେଳୁ ଖେଳୁ ଅସାବଧାନତା ବଶତଃ ଗରମ ହଣ୍ଡା ଭିତରେ ପଡି ଯାଇଥିଲା । ଏହାଦେଖି ଜେଜେ ସଙ୍ଗେ ସଙ୍ଗେ ନାତୁଣୀକୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଶିଶୁକନ୍ୟାର ଘର କାନ୍ଦ ବୋବାଳିରେ ଫାଟୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking