ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଘରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହକୁ ପୁଲିସ ଜବତ କରିଛି। ଏହି ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ତିନିଦିନ ହେବ ହୋଇସାରିଥିବା ଅନୁମାନ କରାଯାଉଥିବା ବେଳେ ମୃତଦେହ ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦମ୍ପତିଙ୍କ ନିକଟରୁ ୪/୫ଦିନର ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର ବି କରାଯାଇଛି।ସୂଚନାଯୋଗ୍ୟ, ଜୁନ ୧୩ ତାରିଖରେ ପୁଲିସ କଣ୍ଟ୍ରୋଲ ରୁମକୁ ସୂଚନା ମିଳିଥିଲା କି ଟର୍ନର ରୋଡସ୍ଥିତ ଘରେ ବୋଧ ହୁଏ ମୃତଦେହ ଅଛି। କାରଣ ସେହି ଘରୁ ଦୁର୍ଗନ୍ଧ ଆସୁଥିବା ଅନୁଭବ ହେଉଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସି୧୩ନମ୍ବର ଘର ବାହାରେ ତାଲା ପଡ଼ିଥିବା ବେଳେ ଅନ୍ୟ ଏକ ଦ୍ବାର ଭିତର ପଟରୁ ବନ୍ଧ ଥିବା ପୁଲିସ ଦେଖିବାକୁ ପାଇଥିଲା।
ଏହାପରେ ପୁଲିସ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଦେଖିବାକୁ ପାଇଥିଲା କି ଘର ଚଟାଣରେ ରକ୍ତଜୁଡ଼ୁବୁଡ଼ୁ ହୋଇ ଦୁଇଟି ମୃତଦେହ ପଡ଼ିଥିଲା। ଯାହାକି ପଚି ଯାଇ ଫୁଲି ଯାଇଥିଲା। ଏହି ଦୁଇମୃତଦେହ ନିକଟରୁ ୪/୫ଦିନର ଶିଶୁକୁ ପୁଲିସ ଜୀବିତ ଅବସ୍ଥାରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା।ସେ ତୁରନ୍ତ ଉକ୍ତ ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଦୁଇଜଣ ସ୍ବାମୀ ଓ ସ୍ତ୍ରୀ ଥିବା ବେଳେ ସ୍ବାମୀଙ୍କ ନାମ ମୋହତସିମ ଓ ସ୍ତ୍ରୀଙ୍କ ନାମ ଅନମ ବୋଲି ଜଣାପଡ଼ିଛି। ଦୁହେଁ ଗତ ୪ମାସ ହେବ ଏହି ଘରକୁ ରହିବାକୁ ଆସିଥିଲେ ବୋଲି ଘର ମାଲିକ କହିଛନ୍ତି।