ପାଟନା: ମରିଯାଉଛି ମାନବିକତା । ବାହାଘର ବରଯାତ୍ରୀ ଦେଖିବାକୁ ଘର ବାହାରକୁ ଯାଇଥିବା ବେଳେ ଦୁଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଜଣେ ୪୦ ବର୍ଷୀୟ ବ୍ୟକ୍ତି ଶିଶୁଟିକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବିହାରର ବାକା ଅଞ୍ଚଳରେ । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏନେଇ ପୀଡିତା ଶିଶୁକନ୍ୟାଙ୍କ ବାପା କହିଛନ୍ତି, ରବିବାର ରାତିରେ ଗ୍ରାମରେ ଏକ ବାହାଘର ଉତ୍ସବ ଚାଲିଥିଲା ।
ବିଳମ୍ବିତ ରାତିରେ ବରଯାତ୍ରୀ ଆସିବାରୁ ବ୍ୟାଣ୍ଡ ବାଜା ଶବ୍ଦ ଶୁଣି ଝିଅ ଘର ବାହାରକୁ ଚାଲିଯାଇଥିଲା । ଏହାପରେ ଆମେ ତାକୁ ଖୋଜାଖୋଜି କରି ଆଉ ପାଇନଥିଲୁ । ଝିଅ ନିଖୋଜ ହେବାର ଠିକ ଅଧଘଣ୍ଟା ପରେ ଗ୍ରାମର ପ୍ରଦୀପ ଯାଦବ ନାମକ ଜଣେ ବ୍ୟକ୍ତି ଝିଅକୁ ଘରେ ନିକଟରେ ଛାଡି ଦେଇ ସଙ୍ଗେ ସଙ୍ଗେ ସେଠାରୁ ପଳାଇଥିଲେ । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ପରିବାର ଲୋକେ ଉଦ୍ଧାର କରି ରାଜୌ ପୋଲିସକୁ ଖବର ଦେଇଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଭାଗଲପୁରରେ ଥିବା ଜବାହାରଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ତ୍ତମାନ ଶିଶୁକନ୍ୟାର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଭିଯୁକ୍ତ ପ୍ରଦୀପ ଯାଦବ ଜଣେ ଡ୍ରାଇଭର ହୋଇଥିବା ବେଳେ ତା\’ର ବୟସ ୪୦ ବର୍ଷ ହୋଇଥିବା ପୀଡିତାଙ୍କ ବାପା କହିଛନ୍ତି ।