ରାଞ୍ଚି: ମା’ଛିନ୍ନମସ୍ତିକା ମନ୍ଦିର ଦର୍ଶନ କରିବାକୁ ବାହାରିଥିଲେ । ହେଲେ ଅଧାରେ ରହିଲା ଦର୍ଶନ । ସବୁ କିଛି ଛାରଖାର କରିଦେଲା ଭୟଙ୍କର ଦୁର୍ଘଟଣା । ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ରାଞ୍ଚି-ପାଟନା ରାଜପଥରେ ଶନିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପେନକି ଅଞ୍ଚଳରେ ଏକ ସ୍କର୍ପିଓ ଏବଂ ଏକ ଅଜଣା ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ମଧ୍ୟରେ ୪ ଜଣ ଶିଶୁ ଏବଂ ୪ ଜଣ ମହିଳା ଥିବା ସୂଚନା ମିଳିଛି । ଗାଡ଼ିରେ ମୋଟ ୧୪ ଜଣ ଯାତ୍ରୀ ଥିଲେ,ସମସ୍ତ ମୃତକ ବିହାର ଅଞ୍ଚଳର ହୋଇଥିବା ଜଣାପଡିଛି । ମା’ଛିନ୍ନମସ୍ତିକା ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ରାଜରପ୍ପା ଯାଉଥିଲେ ଶ୍ରଦ୍ଧାଳୁ । ହେଲେ ବାଟରେ ଯମ ଜଗିଥିଲା । ଅବେଳରେ ଅନେକ ଜୀବନ ନେଇଛି ଭୟଙ୍କର ସଡ଼କ ଦୁର୍ଘଟଣା ।
ରାମଗଡ଼ ସଦର ହସ୍ପିଟାଲର ସିଭିଲ୍ ସର୍ଜନ୍ ଅନିଲ କୁମାର କହିଛନ୍ତି ଯେ ଏହି ସମସ୍ତ ଲୋକ ବିହାରର ନାଳନ୍ଦା ଜିଲ୍ଲାର ବେନ୍ ଥାନା ଅଞ୍ଚଳର ଜଙ୍ଘାରୋ ଗାଁର ବାସିନ୍ଦା । ରାଜରପ୍ପାରେ ଥିବା ମା’ଛିନ୍ନମସ୍ତିକା ମନ୍ଦିରରେ ପୂଜା କରିବାକୁ ଯାଉଥିଲେ । ରିପୋର୍ଟ ଅନୁଯାୟୀ, ସିଭିଲ୍ ସର୍ଜନ୍ ଅନିଲ କୁମାର କହିଛନ୍ତି ଯେ, ଗାଡ଼ିରେ ଯାତ୍ରା କରୁଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଜଣେ ଆହତ ହୋଇଛନ୍ତି ଏବଂ ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏସଡିପିଓ ରଞ୍ଜନ କହିଛନ୍ତି ଯେ, ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ପଠାଯାଇଛି । କୃତରେ କ’ଣ ଘଟିଥିଲା ଏବଂ କିପରି ସ୍କର୍ପିଓ ଧକ୍କା ହେଲା ତାହା ଜାଣିବା ପାଇଁ ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି । ସଡ଼କ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ହୋଇଛି । ଆହତମାନଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି ।










