ଭୁବନେଶ୍ୱର/ବାରଙ୍ଗ: ଇଣ୍ଡୋନେସିଆର ଏକ ୫ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଶନିବାର ନନ୍ଦନକାନନରେ ପହଞ୍ଚିଛନ୍ତି । ଏହି ୫ ଜଣିଆ ଟିମ୍ରେ ବରିଷ୍ଠ ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ଟିମ୍ ଏଠାରେ ପହଞ୍ଚିବା ପରେ ନନ୍ଦନକାନନ ଅଧିକାରୀମାନଙ୍କ ସହିତ ଓରାଙ୍ଗଉଟାନ୍ ରହୁଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇଥିଲେ । ସେଠାରେ କ୍ୱାରେଣ୍ଟାଇନରେ ରହୁଥିବା ୫ଟି ଓରାଙ୍ଗଉଟାନ୍ଙ୍କ ଚିକିତ୍ସା, ଖାଦ୍ୟପେୟ ଏବଂ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିଲେ । ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସେମାନେ କହିଛନ୍ତି। ସେମାନଙ୍କ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ତେବେ ଏହି ଓରାଙ୍ଗ୍ଉଟାନଙ୍କୁ ଇଣ୍ଡୋନେସିଆ ଫେରାଇ ନିଆଯିବ କି ସେମାନେ ନନ୍ଦନକାନନରେ ରହିବେ ସେ ନେଇ କୌଣସି ଆଲୋଚନା ହୋଇନାହିଁ ।
ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଆଇନ ଅନୁଯାୟୀ, ଏହି ଓରାଙ୍ଗଉଟାନ ଇଣ୍ଡୋନେସିଆର କେଉଁ ଅଞ୍ଚଳର(ବର୍ଣ୍ଣଓ କିମ୍ବା ସୁମାତ୍ରା) ଏବଂ ସେମାନଙ୍କର ଠିକ୍ ବଂଶଗତ ପରିଚୟ କ’ଣ, ତାହା ଯାଞ୍ଚ କରିବେ ଏହି ବିଶେଷଜ୍ଞ ଦଳ । କେଉଁ ପ୍ରଜାତି ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ହେବା ପରେ ସେମାନେ କେଉଁଠାରେ ରହିବେ ତାହା ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି । ସୂଚନା ଥାଉକି, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଉଦ୍ଧାର କରାଯାଇଥିଲା । ସେବେଠାରୁ ଏହି ଓରାଙ୍ଗଉଟାନ୍ ନନ୍ଦନକାନନରେ ରହୁଛନ୍ତି । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍) ଏହି ଓରାଙ୍ଗଉଟାନ୍ ଚାଲାଣ ତଦନ୍ତ ଜାରି ରଖିଛି।










