21.1 C
Bhubaneswar
Friday, November 27, 2026
Homeଦେଶ ବିଦେଶସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ,କ୍ୟାବିନେଟ୍ ମଞ୍ଜୁରୀ ପରେ ହେଲା ସାର୍ବଜନୀନ

ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ,କ୍ୟାବିନେଟ୍ ମଞ୍ଜୁରୀ ପରେ ହେଲା ସାର୍ବଜନୀନ

ନୂଆଦିଲ୍ଲୀ: ଶୁକ୍ରବାର (ନଭେମ୍ବର ୨୭, ୨୦୨୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ରେ ‘ସୀମା ପୁନଃନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍‌, ଏବଂ ମହିଳା ସଂରକ୍ଷଣ ବିଲ୍ ୨୦୨୬’କୁ ଅନୁମୋଦନ କରାଯାଇଛି। ପରେ କେନ୍ଦ୍ର ସରକାର ଏହି ବିଲ୍‌କୁ ସାର୍ବଜନୀନ ମଧ୍ୟ କରିଛନ୍ତି। ସୀମା ପୁନଃନିର୍ଦ୍ଧାରଣ ମାଧ୍ୟମରେ ଲୋକସଭା ତଥା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ଲକ୍ଷ୍ୟରେ ଏହି ବିଧେୟକ ଅଣାଯାଇଛି। ଏଥିରେ ପ୍ରତ୍ୟେକ ରାଜ୍ୟ ପାଇଁ ଲୋକସଭା ଆସନରେ ସମାନ ଭାବେ ୫୦% ବୃଦ୍ଧି କରାଯିବା ବିଷୟକୁ ସ୍ପଷ୍ଟ ଭାବେ ଲିଖିତ ଆକାରରେ ସ୍ଥାନ ଦିଆଯାଇଛି।

ସୋମବାର, ନଭେମ୍ବର ୩୦ରୁ ଆରମ୍ଭ ହୋଇ ଗୁରୁବାର, ଡିସେମ୍ବର ୩, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ୪ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ଲୋକସଭା ସଚିବାଳୟ ଘୋଷଣା କରିବାର ଗୋଟିଏ ଦିନ ପରେ କ୍ୟାବିନେଟ୍‌ର ଏହି ମଞ୍ଜୁରୀ ଏବଂ ବିଲ୍‌ର ସାର୍ବଜନୀନ ପ୍ରକାଶନ ହୋଇଛି। ଆଇନଗତ ପାଠ୍ୟରେ ସିଧାସଳଖ ସମାନ ୫୦% ଆସନ ବୃଦ୍ଧି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି କେନ୍ଦ୍ର ସରକାର ସେହି ପ୍ରମୁଖ ଆପତ୍ତିକୁ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ ଏପ୍ରିଲ ୧୭, ୨୦୨୬ରେ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ସମୟରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୫୫୦ରୁ ୮୫୦ (ରାଜ୍ୟରୁ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ପର୍ଯ୍ୟନ୍ତ) କୁ ବୃଦ୍ଧି କରିବା ଏବଂ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲା ତାହା ୫୪୩ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ପାରିତ ହୋଇପାରିନଥିଲା। ଆବଶ୍ୟକୀୟ ୩୫୨ ଭୋଟ୍ (ଉପସ୍ଥିତ ଓ ଭୋଟ୍ ଦେଉଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ) ବଦଳରେ ଏହା ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ମିଳିଥିଲା।

୨୦୧୪ରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କ୍ଷମତାକୁ ଆସିବା ପରେ ସରକାରଙ୍କ ଦ୍ୱାରା ଅଣାଯାଇଥିବା କୌଣସି ସମ୍ବିଧାନ ସଂଶୋଧନ ବିଲ୍ ବିଫଳ ହେବାର ଏହା ପ୍ରଥମ ଘଟଣା ଥିଲା, ଯାହା ଫଳରେ କେନ୍ଦ୍ର ସରକାର ଏହା ସହ ଜଡ଼ିତ ଅନ୍ୟ ଦୁଇଟି ସାଧାରଣ-ସଂଖ୍ୟାଗରିଷ୍ଠତା ବିଲ୍ ପ୍ରତ୍ୟାହାର କରିନେଇଥିଲେ। ଏହି ସମୟରେ ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ ବିରୋଧୀ ଦଳଗୁଡ଼ିକ ଚେତାବନୀ ଦେଇଥିଲେ ଯେ କେବଳ ୨୦୧୧ ଜନଗଣନା ଆଧାରରେ ବର୍ଦ୍ଧିତ ଲୋକସଭା ଆସନ ବଣ୍ଟନ କରାଗଲେ ଦକ୍ଷିଣ ଭାରତ (ଯାହା ଦେଶର ଜିଡିପିରେ ପ୍ରାୟ ୩୦-୩୧% ଯୋଗଦାନ ଦିଏ) ତୁଳନାରେ ଉତ୍ତର ଭାରତର ଆସନ ସଂଖ୍ୟା ବଢ଼ିଯିବ। ଯଦିଓ ଗୃହରେ ବିତର୍କ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରତ୍ୟେକ ରାଜ୍ୟ ପାଇଁ ସମାନ ୫୦% ଆସନ ବୃଦ୍ଧିର ପ୍ରସ୍ତାବ ଦେଇଥିଲେ, ତଥାପି ଏହି ପ୍ରତିଶ୍ରୁତି ବିଲ୍‌ରେ ଲିଖିତ ଭାବେ ନଥାଇ କେବଳ ମୌଖିକ ଥିବା ଦର୍ଶାଇ ବିରୋଧୀ ନେତାମାନେ ଏହାକୁ ଅଟକାଇ ଦେଇଥିଲେ। ଶାସକ ଦଳ ପକ୍ଷରୁ ସେତେବେଳେ କୁହାଯାଇଥିଲା ଯେ ଏହି ପ୍ୟାକେଜ୍‌କୁ ବିରୋଧ କରିବା ମହିଳା ସଶକ୍ତିକରଣର ପରିପନ୍ଥୀ, ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଯୁକ୍ତି ବାଢ଼ିଥିଲେ ଯେ ସେମାନେ ମହିଳା ସଂରକ୍ଷଣକୁ ସମର୍ଥନ କରନ୍ତି କିନ୍ତୁ ଏକ ଅନିର୍ଦ୍ଦିଷ୍ଟ ସୀମା ପୁନଃନିର୍ଦ୍ଧାରଣ ସୂତ୍ରକୁ ବିରୋଧ କରନ୍ତି। ଯେହେତୁ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଏନ୍‌ଡିଏ ପାଖରେ ଏବେ ବି ନିଜସ୍ୱ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନାହିଁ, ତେଣୁ ଆଗାମୀ ଚାରି ଦିନିଆ ଅଧିବେଶନରେ ୨୦୨୬ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ପ୍ୟାକେଜ୍‌ର ଭାଗ୍ୟ ନିରପେକ୍ଷ ଦଳ, ଆଞ୍ଚଳିକ ଦଳଗୁଡ଼ିକର ଭୋଟ୍ ଏବଂ ଗୃହରେ ସଦସ୍ୟଙ୍କ ଉପସ୍ଥିତି ଉପରେ ନିର୍ଭର କରିବ। ଅର୍ଥାତ୍ ଯେଉଁଠାରେ ପ୍ରତ୍ୟେକଟି ଭୋଟ୍ ଏବଂ ପ୍ରତ୍ୟେକ ଅନୁପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଏନ୍‌ସିପି (ଶରଦ ପୱାର) ଦଳ, କେନ୍ଦ୍ର ସରକାରଙ୍କ ଏହି ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ବିଧାୟକ ଜିତେନ୍ଦ୍ର ଆୱାଦ୍ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ତାଙ୍କର ଏହି ମନ୍ତବ୍ୟ ପରେ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରଥମେ ଏସମ୍ପର୍କୀତ ଡ୍ରାଫ୍ଟ୍‌କୁ ତାଙ୍କ ଦଳ ଭଲଭାବେ ଅନୁଧ୍ୟାନ କରିବ ଏବଂ ପରେ ଯାହା କିଛି ନିଷ୍ପତ୍ତି ନେବ। ସୁପ୍ରିୟା କହିଛନ୍ତି, ସମ୍ଭବତଃ ପ୍ରସ୍ତାବିତ ୫୦% ଆସନ ବୃଦ୍ଧି ଏବଂ ମହିଳା ସଂରକ୍ଷଣ ପରିପ୍ରେକ୍ଷୀରେ ଆୱାଦ ଏପରି କହିଥାଇପାରନ୍ତି। ବାପାଙ୍କ ଅସୁସ୍ଥତା କାରଣରୁ ସେ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା “ଇଣ୍ଡିଆ’ ମେଣ୍ଟର ରଣନୀତି ବୈଠକରେ ଯୋଗଦେବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି, ତେବେ ଦଳ ପକ୍ଷରୁ ଏନସିପି (ଏସପି) ସାଂସଦମାନେ ଏଥିରେ ଯୋଗଦେବେ। ସୂଚନାଯୋଗ୍ୟ ଏନ୍‌ସିପି ପକ୍ଷରୁ ନିଜର ୮ ସାଂସଦଙ୍କ ଉଦ୍ଦେଶ୍ୟରେ ୩ ଧାଡିଆ ହ୍ୱିପ୍ ଜାରି କରିଥିବା ନେଇ ସୂଚନା ମିଳିଛି। କିନ୍ତୁ ହ୍ୱିପ୍‌୍‌ରେ ସାଂସଦମାନଙ୍କୁ ଦଳ କ’ଣ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking