21.1 C
Bhubaneswar
Friday, November 27, 2026
Homeଓଡିଶାଶିଶୁ ଓ ନବଜାତକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମଗ୍ରିକ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା: ସ୍ୱାସ୍ଥ୍ୟମନ୍ତ୍ରୀ

ଶିଶୁ ଓ ନବଜାତକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମଗ୍ରିକ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱ:  ଶିଶୁ ଓ ନବଜାତକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ପୁଷ୍ଟିସାଧନ ଏବଂ ସାମଗ୍ରିକ ବିକାଶ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା । ମାଆ ଓ ଶିଶୁଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଶିଶୁ ମୃତ୍ୟୁ ହାର (IMR) ଓ ମାତୃ ମୃତ୍ୟୁ ହାର (MMR) ହ୍ରାସ କରିବା ଦିଗରେ ସରକାର ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟନ ବେଳେ କହିଛନ୍ତି ।

ଆଜି ଭୁବନେଶ୍ୱରସ୍ଥିତ ମେ’ ଫେୟାର କନଭେନସନଠାରେ ଆୟୋଜିତ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (SSBSK)ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଏବଂ ‘ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬’ ପାଳନ ଅବସରରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରାଯାଉଛି। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ଏସଏନସିୟୁ ଏବଂ ଏନବିଏସୟୁ ସେବାର ସମ୍ପ୍ରସାରଣ ଫଳରେ ନବଜାତ ଶିଶୁଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରିଛି। ଏହି କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ପ୍ରୋତ୍ସାହନ ରାଶି ମିଳିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ । ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫଳତା ଏହାର ପ୍ରତିଫଳନ, ଯେଉଁଠାରେ ମାତ୍ର ୫୦୦ରୁ ୬୦୦ ଗ୍ରାମ ଓଜନ ବିଶିଷ୍ଟ ନବଜାତ ଶିଶୁଙ୍କୁ ମଧ୍ୟ ଏସଏନସିୟୁ ଏବଂ ଏନବିଏସୟୁ କେନ୍ଦ୍ରଗୁଡ଼ିକରେ ସଫଳତାର ସହ ଚିକିତ୍ସା ଓ ନୂତନ ଜୀବନ ପ୍ରଦାନ କରାଯାଇପାରୁଛି। ଏହି ସଫଳତା ପଛରେ ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ସମର୍ପଣ ରହିଛି । ଶିଶୁର ସାମଗ୍ରିକ ମାନସିକ ଓ ଶାରୀରିକ ବିକାଶ ପାଇଁ ଗର୍ଭାବସ୍ଥାରୁ ଆରମ୍ଭ କରି ଶିଶୁର ତିନି ବର୍ଷ ବୟସ ପର୍ଯ୍ୟନ୍ତ ମାଆ ଓ ଶିଶୁଙ୍କୁ ଉପଯୁକ୍ତ ପୁଷ୍ଟି ଓ ଯତ୍ନ ଯୋଗାଇବା ଅତ୍ୟନ୍ତ ଜରୁରୀ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ଧବିଶ୍ୱାସ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆଶାକର୍ମୀ, ନର୍ସିଂ ଅଫିସର, ଶିଶୁରୋଗ ବିଶେଷଜ୍ଞ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରକୃତ ମେରୁଦଣ୍ଡ । ସେମାନଙ୍କର ନିଷ୍ଠାପର ସେବା ଓ ଅବଦାନ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନବଜାତ ଶିଶୁଙ୍କ ଉତ୍କୃଷ୍ଟ ଯତ୍ନ ଓ ସେବା ପ୍ରଦାନ କରିଥିବା ବିଭିନ୍ନ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (SNCU)ର ଟିମ୍ ଏବଂ ନବଜାତକ ଆମ୍ବାସାଡରମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶିତ ଏବଂ ପୁରସ୍କୃତ ଏସ୍‌ଏନ୍‌ସିୟୁ ମଧ୍ୟରେ ରହିଛି କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ, କଟକସ୍ଥିତ ଏସ୍‌ଭିପିପିଜିଆଇପି, ପୁରୀ ଓ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ।

ସେହିପରି ନୂଆପଡ଼ା ଜିଲ୍ଲାର ଖରିଆର, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଏବଂ ବରଗଡ଼ ଜିଲ୍ଲାର ପଦ୍ମପୁରଠାରେ ଥିବା ୩ଟି ଏନ୍‌ବିଏସ୍‌ୟୁକୁ ମଧ୍ୟ ପୁରସ୍କୃତ ହେବା ସହ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନତା, ଉତ୍ତମ ଯତ୍ନ ଏବଂ ସୁସ୍ଥ ଶିଶୁ ଲାଳନପାଳନ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୩ ଜଣ ନବଜାତ ଶିଶୁ ଆମ୍ବାସାଡରଙ୍ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସେମାନେ ହେଲେ ମାଲକାନଗିରି ଜିଲ୍ଲାର ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଶ୍ରୀମତୀ ପଲ୍ଲୀ ପ୍ରତିଭା ସାହୁ, ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀମତୀ ପ୍ରତିମା ସାହୁ ଏବଂ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀମତୀ କିରଣବାଳା ରାଉତ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଗିରିଶ ଏସ ଏନ , ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ଼. ମୃଣାଳିନୀ ଦର୍ଶୱାଲ, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼. ବିଷ୍ଣୁପ୍ରସାଦ ମହାପାତ୍ର , ନିପି ନିର୍ଦେଶକ ଡ଼. ଅସଫାକ ଭଟ୍ଟ ମଂଚାସୀନ ଥିଲେ | ଡ଼. ଆଦିତ୍ୟ ମହାପାତ୍ର ଧନ୍ୟବାଦ ଦେଇଥିଲେ | ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking