ଓଡ଼ିଶାର ଖଣିଖାଦାନ ଲୁଟିବାକୁ ଡବଲ ଇଞ୍ଜିନ ସରକାର ସବୁ ଶକ୍ତି ଉପଯୋଗ କରିଦେଇଛି। ତେଣେ ଲୋକେ ଚୁଲିକୁ ଯାଆନ୍ତୁ। ଗୋଟିଏ ପରେ ଗୋଟିଏ ଖଣି ପୁଞ୍ଜିପତିଙ୍କ ହାତକୁ ଟେକିଦେବାକୁ ମୋଦୀ-ଶାହଙ୍କ ନିର୍ଦେଶ ଆସୁଛି। ଆଉ ମୋହନ ବାବୁ ବିନା ପ୍ରତିବାଦରେ ଦସ୍ତଖତ ପରେ ଦସ୍ତଖତ କରିଚାଲିଛନ୍ତି। ସ୍ୱାଧୀନତା ପରଠାରୁ ଏତେ ଜନବିରୋଧୀ ସରକାର ଲୋକେ କେବେ ଦେଖିନଥିଲେ ବୋଲି ପିସିସି ସଭପତି ଭକ୍ତ ଚରଣ ଦାସ କହିଛନ୍ତି। ସିମୁଳିଆଠାରେ ଦଳ ପକ୍ଷରୁ ଭୋଟ ଚୋରି ବିରୋଧରେ ଗାଁ ଦାଣ୍ତ ସଭା (ଚୌପାଲ୍)ରେ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ଦରଦାମ୍ ଏବେ ଆକାଶ ଛୁଆଁ ହେଲାଣି। ଲୋକଙ୍କୁ ଏ ସରକାର ପୋକମାଛି ବୋଲି ଭାବୁଛି। ଜନସମର୍ଥନ ହରାଇଥିବା ଆଶଙ୍କା କରି ଏବେ ଭୋଟ ଚୋରିରେ ମାତିଛି। ଶ୍ରୀ ଦାସ ପୁଣି କହିଥିଲେ, ଓଡ଼ିଶାର ଲୋକଙ୍କ ସମସ୍ୟା, ଦୁଃଖ, ଯନ୍ତ୍ରଣା ଦୂର ହିଁ ଆଗକୁ କଂଗ୍ରେସର ଇସ୍ତାହାର ହେବ। ସିମୁଳିଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଗ୍ରାମସଭାରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପିସିସି ମିଡିଆ ଅଧ୍ୟକ୍ଷ ପିସିସିର ଦୁଇ ସାଧାରଣ ସମ୍ପାଦକ ବାଙ୍କବିହରୀ ବେହେରା ଓ ମଧୁମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।










