ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ବନାଞ୍ଚଳରେ ହାତୀ ଆକ୍ରମଣରେ ୬୦ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମଧ୍ୟ ରାତ୍ରିରେ ଜଣେ ଚାଷୀ ବିଲର ଧାନକୁ ହାତୀ ଠାରୁ ସୁରକ୍ଷିତ ରଖିବା ପାଇଁ ଜଗିଥିଲେ । ତେବେ ସେହି ସମୟରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚିକିତ୍ସାଳୟକୁ ପଠାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ହାତୀ ଉପଦ୍ରବ ନେଇ ଚିନ୍ତା ବଢିଛି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।










