26.1 C
Bhubaneswar
Monday, November 23, 2026
Homeଓଡିଶାକଳିଙ୍ଗ ବାଲିଯାତ୍ରା ମଞ୍ଚରୁ ଜଗତସିଂହପୁରକୁ ବିକାଶର ଭେଟି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ବାଲିଯାତ୍ରା ମଞ୍ଚରୁ ଜଗତସିଂହପୁରକୁ ବିକାଶର ଭେଟି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପାରାଦୀପଠାରେ ଆୟୋଜିତ ‘କଳିଙ୍ଗ ବାଲିଯାତ୍ରା’ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରାକୁ ସ୍ମରଣ କରିବା ସହିତ ଜଗତସିଂହପୁର ଜିଲ୍ଲା ଓ ପାରାଦୀପର ସାମଗ୍ରିକ ଶିଳ୍ପାୟନ, ଭିତ୍ତିଭୂମି ଓ ଶିକ୍ଷା ବିକାଶ ପାଇଁ ଅନେକଗୁଡିଏ ଉନ୍ନତିମୂଳକ ପ୍ରକଳ୍ପର କାର୍ଯ୍ୟକାରୀ ହେଉଥିବା ନେଇ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ତିର୍ତ୍ତୋଲରେ ସୂତାକଳ ପ୍ରତିଷ୍ଠା ହେବ ଏବଂ ଜଗତସିଂହପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ଖୁବ ଶୀଘ୍ର ଜଗତସିଂହପୁର ଠାରେ ସରକାରୀ ଇଂଜିନିୟରିଙ୍ଗ କଲେଜ, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ESI ହସ୍ପିଟାଲ ପ୍ରତିଷ୍ଠା ହେବ ଏବଂ ସେ ଖୁବ ଶୀଘ୍ର ନିଜେ ଜଗତସିଂହପୁର ଆସି ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା, ବିଶେଷକରି ସମଗ୍ର ପାରାଦୀପ ଅଞ୍ଚଳ ହିଁ ହେବ ଓଡ଼ିଶାର ଅଭିବୃଦ୍ଧିର ଇଞ୍ଜିନ୍, ଏବଂ ଆଗାମୀ ଦିନରେ ପାରାଦୀପ ହେବ ଆମ ଓଡ଼ିଶାର ମାନୁଫାକ୍ଚରିଂ କ୍ୟାପିଟାଲ ତଥା ରପ୍ତାନି ବା ଏକ୍ସପୋର୍ଟ ପାଇଁ ଦେଶର ଏକ ପ୍ରମୁଖ କେନ୍ଦ୍ର । ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ଦୂରଦୃଷ୍ଟିକୁ ଆଧୁନିକ ଶିଳ୍ପାୟନ ଏବଂ ବନ୍ଦର-ଭିତ୍ତିକ ଅର୍ଥନୀତି ସହିତ ଯୋଡ଼ି ପାରାଦୀପକୁ ପୂର୍ବ ଭାରତର ବିକାଶର ମୁଖଶାଳା ଏବଂ ଦେଶର ଏକ ପ୍ରମୁଖ ମାନୁଫାକ୍ଚରିଂ ଓ ରପ୍ତାନି ହବ୍‌ରେ ପରିଣତ କରିବା ଏହି ମହୋତ୍ସବ ଓ ସରକାରଙ୍କ ଲକ୍ଷ୍ୟର କେନ୍ଦ୍ରବିନ୍ଦୁ ରହିଛି ବୋଲି କହିବା ସହିତ ରାଜ୍ୟର ଶାସନ ଦାୟିତ୍ୱଭାର ଗ୍ରହଣ କରିବା ପରଠାରୁ ପ୍ରତିବର୍ଷ ଏହି କଳିଙ୍ଗ ବାଲିଯାତ୍ରାର ଅଂଶବିଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତିର ନୂଆ କ୍ଷେତ୍ର ଉନ୍ମୋଚିତ ହେଉଥିବା ବେଳେ ରାଜ୍ୟ ସରକାର ଓଡ଼ିଶାକୁ ଏକ ‘ବନ୍ଦର-ଭିତ୍ତିକ ଅର୍ଥନୀତି’ ରୂପେ ଗଢ଼ିତୋଳିବାକୁ ବ୍ୟାପକ ପଦକ୍ଷେପ ନେଉଛନ୍ତି ଏବଂ ଏହି ଦୃଷ୍ଟିକୋଣରେ ପାରାଦୀପ ଅଗ୍ରଣୀ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ନୀତି ଆୟୋଗଙ୍କ ମାର୍ଗଦର୍ଶନରେ ରାଜ୍ୟରେ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍’ ବା ‘BKPPER’ ନିର୍ମାଣ କରାଯାଉଛି, ଯାହା ଉପକୂଳ ଓଡ଼ିଶାର ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଦେଶର ଏକ ପ୍ରମୁଖ ଶିଳ୍ପ, ଅର୍ଥନୈତିକ ଏବଂ ସହରାଞ୍ଚଳ ହବ୍ ଭାବେ ପରିଣତ କରିବ ଓ ରାଜ୍ୟର ଅଭିବୃଦ୍ଧିରେ ସିଂହଭାଗ ଅବଦାନ ଦେବ । ଏହା ସହିତ ଦେଶର ୪ଟି ପ୍ରମୁଖ ପେଟ୍ରୋଲିୟମ୍, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିଅନ୍ (PCPIR) ମଧ୍ୟରୁ ଅନ୍ୟତମ ପାରାଦୀପ PCPIR ଗତ ଅଢ଼େଇ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇଛି । ୨୦୧୬ ମସିହାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପକ୍ଷରୁ ପାରାଦୀପଠାରେ ୧୫ ଏମ୍‌ଏମ୍‌ଟିପିଏ (MMTPA) କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ପଲିପ୍ରୋପିଲିନ୍, ଇଥାଇଲିନ୍ ଗ୍ଲାଇକଲ୍ ଏବଂ ପ୍ଲାଷ୍ଟିକ୍ ପାର୍କ ଭଳି ଡାଉନ୍‌ଷ୍ଟ୍ରିମ୍ ପ୍ରକଳ୍ପଗୁଡ଼ିକ ଭାଲ୍ୟୁ ଆଡିସନ, ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପାରାଦୀପକୁ ମଧ୍ୟପ୍ରାଚ୍ୟର ତୈଳ ଓ ରାସାୟନିକ ଶିଳ୍ପପତିମାନଙ୍କ ପାଇଁ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳରେ ପରିଣତ କରିବା ପାଇଁ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି । ଆଞ୍ଚଳିକ ଯୋଗାଯୋଗ ଓ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୬୦ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ଗ୍ରୀନ୍‌ଫିଲ୍ଡ ଓଡ଼ିଶା ଉପକୂଳ ରାଜପଥ ନିର୍ମାଣ ଯୋଜନା ରହିଛି, ଯାହା ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୁ କୋଣାର୍କ ଏବଂ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ସଂଯୋଗ କରିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଭଦ୍ରକ ଦେଇ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ଦୀଘା ସହିତ ଗୋପାଳପୁରକୁ ଯୋଡ଼ିବ । ଏଥିସହିତ ଯାତାୟାତ ସମୟ ହ୍ରାସ କରିବା ପାଇଁ ଭୁବନେଶ୍ୱର ସହିତ ପାରାଦୀପକୁ ସିଧାସଳଖ ଯୋଡ଼ିବା ନିମନ୍ତେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସୱେ ନିର୍ମାଣ କରାଯାଉଛି, ଯାହାଫଳରେ ଯାତ୍ରୀ ଓ ମାଲବାହୀ ଯାନଗୁଡ଼ିକୁ ଆଉ କଟକ ଦେଇ ପାରାଦୀପ ଆସିବାକୁ ପଡ଼ିବ ନାହିଁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ BKPPER ଅନ୍ତର୍ଗତ ସାମିଲ କରାଯାଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରସ୍ଥଳରେ ଓଡ଼ିଶା ରହିଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୨୦-୨୫ ବର୍ଷ ତଳେ ତତ୍କାଳୀନ ସରକାରଙ୍କ ଇଚ୍ଛାଶକ୍ତିର ଅଭାବରୁ ଯେଉଁ ମେଗା ଷ୍ଟିଲ ପ୍ଲାଣ୍ଟ କେବଳ ସ୍ୱପ୍ନରେ ରହିଯାଇଥିଲା, ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ JSWର ସହଯୋଗରେ ସେହି ଢିଙ୍କିଆଠାରେ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହୋଇଛି । ପାରାଦୀପରେ ପ୍ଲାଷ୍ଟିକ, ପଲିମର, କେମିକାଲ, ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ ଭଳି ଅନେକ ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠା ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଇନଭେଷ୍ଟର୍ସ ମିଟ୍‌ରେ ପାରାଦୀପ ପାଇଁ ବଡ଼ ବଡ଼ ପ୍ରକଳ୍ପର ପ୍ରସ୍ତାବ ଆସୁଛି । ଜଗତସିଂହପୁର ଜିଲ୍ଲାରେ ସମୁଦାୟ ୨.୫୨ ଲକ୍ଷ କୋଟି ଟଙ୍କା ନିବେଶରେ ୨୦ଟି ଶିଳ୍ପ ସ୍ଥାପିତ ହେବାର ବିଭିନ୍ନ ପ୍ରକ୍ରିୟା ଜାରି ରହିଛି, ଯାହାଦ୍ୱାରା ଜିଲ୍ଲାରେ ୯୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏହି ୨୦ଟି ଶିଳ୍ପ ମଧ୍ୟରୁ ୧୭ଟି ଶିଳ୍ପ କେବଳ ପାରାଦୀପ ଅଞ୍ଚଳରେ ପ୍ରତିଷ୍ଠା ହେଉଥିବା ବେଳେ ୫ଟି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଉତ୍ପାଦନ ଆରମ୍ଭ କରିସାରିଛି, ୯ଟି ଶିଳ୍ପର ଫ୍ୟାକ୍ଟ୍ରି ବର୍ତ୍ତମାନ ନିର୍ମାଣାଧୀନ ଅଛି ଏବଂ ଅନ୍ୟ ୬ଟି ଶିଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ପ୍ରମୁଖ ବୃହତ୍ ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧.୨୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ପାରାଦୀପର JSW ଷ୍ଟିଲ୍, ୫୮ ହଜାର କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ (IOCL)ର ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ, ୩୮ ହଜାର କୋଟି ଟଙ୍କା ବିନିଯୋଗରେ ଆର୍ସେଲର୍ ମିତ୍ତଲ-ନିପନ୍ ଷ୍ଟିଲ୍‌ର ଷ୍ଟିଲ୍ ପ୍ଲାଣ୍ଟ ଏବଂ ୧୦ ହଜାର କୋଟି ଟଙ୍କା ବିନିଯୋଗରେ ଇଣ୍ଡୋଏସିଆ କପର୍ ଲିମିଟେଡ୍‌ର କପର୍ ଆନୋଡ୍ ପ୍ଲାଣ୍ଟ ଅନ୍ତର୍ଭୁକ୍ତ ରହିଛି । ସମଗ୍ର ରାଜ୍ୟରେ ଚାଲିଥିବା ଶିଳ୍ପାୟନ ଅଭିଯାନର ବିସ୍ତୃତ ତଥ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ଉଚ୍ଚସ୍ତରୀୟ ମଞ୍ଜୁରୀ ପ୍ରାଧିକରଣ ବୈଠକରେ ରାଜ୍ୟର ୧୨.୧୦ ଲକ୍ଷ କୋଟି ଟଙ୍କାର ୫୭୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି, ଯାହାଦ୍ୱାରା ସମଗ୍ର ରାଜ୍ୟରେ ୭ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ସେହିପରି ୨.୬୬ ଲକ୍ଷ କୋଟି ଟଙ୍କା ନିବେଶର ୧୫୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଥିବା ବେଳେ ଏହାଦ୍ୱାରା ୨.୩୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ୮୫ ହଜାର କୋଟି ଟଙ୍କାର ୫୫ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇ ୫୧ ହଜାର ନିଯୁକ୍ତି ସୃଷ୍ଟି ହୋଇସାରିଛି । ମୋଟାମୋଟି ଭାବେ ରାଜ୍ୟରେ ୩.୫୧ ଲକ୍ଷ କୋଟି ଟଙ୍କାର ୨୦୫ଟି ଶିଳ୍ପ ପ୍ରକଳ୍ପର କାର୍ଯ୍ୟାରମ୍ଭ ବା ଗ୍ରାଉଣ୍ଡିଙ୍ଗ୍ ହୋଇସାରିଛି, ଯାହାଦ୍ୱାରା ୨.୮୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶିଳ୍ପାୟନ ସହିତ ଜଗତସିଂହପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧାର ବିକାଶକୁ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଏବଂ ପାରାଦୀପରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ ହେବାକୁ ଯାଉଛି ଏବଂ ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହା ସହିତ ରାଜ୍ୟ ବଜେଟରେ ଘୋଷଣା କରାଯାଇଥିବା ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ । ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ହରିଶପୁରଠାରେ ଲୁଣାବନ୍ଧ (Saline Embankment) ନିର୍ମାଣ କରାଯାଉଥିବା ବେଳେ ପର୍ଯ୍ୟଟନର ବିକାଶ ପାଇଁ ପାରାଦୀପ ସମୁଦ୍ରକୂଳକୁ ‘ବ୍ଲୁ-ଫ୍ଲାଗ୍ ବିଚ୍’ର ମାନ୍ୟତା ଦେବା ନିମନ୍ତେ ବିକଶିତ କରାଯାଉଛି । ସେହିପରି ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭାର ବିକାଶ ପାଇଁ ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ, ନାଉଗାଁ, ରଘୁନାଥପୁର ଏବଂ ତିର୍ତ୍ତୋଲଠାରେ ବ୍ଲକ ସ୍ତରୀୟ ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ କାର୍ଯ୍ୟ ଜାରି ରହିଛି ।ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଆମ ନଦୀ, ପୋଖରୀ, ସମୁଦ୍ର ଓ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ସମୟରେ ପ୍ଲାଷ୍ଟିକ ଓ ଜରି ସାମଗ୍ରୀ ପରିବର୍ତ୍ତେ ଆମ ପାରମ୍ପରିକ କଦଳୀ ପାଟୁଆର ଡଙ୍ଗା ବ୍ୟବହାର କରି ଜଳାଶୟଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଏହି ଉଦ୍‌ଘାଟନୀ ଉତ୍ସବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡକ୍ଟର ରମାକାନ୍ତ ଭୋଇ, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଏବଂ ବିପୁଳ ସଂଖ୍ୟାରେ ଜିଲ୍ଲାବାସୀ ଉପସ୍ଥିତ ଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ପ୍ରାଚୀନ ସମ୍ପର୍କକୁ ଉଜ୍ଜୀବିତ କରିବା ପାଇଁ ଆମେ ଆଜି କଳିଙ୍ଗ ବାଲିଯାତ୍ରା ପାଳନ କରୁଛୁ । ସାଧବ ପୁଅ କେବଳ ବାଣିଜ୍ୟ କରୁନଥିଲେ, ସେମାନେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର କରୁଥିଲେ ଏବଂ କଳିଙ୍ଗକୁ ଆର୍ଥିକ ସମୃଦ୍ଧ କରିଥିଲେ । ଓଡ଼ିଶା ବିକାଶର ସମୃଦ୍ଧ ଦ୍ୱାର ହେଉଛି ପାରାଦୀପ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡକ୍ଟର ରମାକାନ୍ତ ଭୋଇ, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ ବର୍ମା ଧନ୍ୟବାଦ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking