ଗୋଟିଏ ଭୟଙ୍କର ଦୁର୍ଘଟଣା । ଟ୍ରକ୍ ସହ ମୁହାଁମୁହିଁ ଧକ୍କା ପରେ ଦୁଇ ଖଣ୍ଡ ହୋଇଗଲା କାର୍ । ଆଉ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଶିଶୁ । ଏପରି ଏକ ଛାତିଥରା ସଡ଼କ ଦୁର୍ଘଟଣା ଗୁଜରାଟର କଚ୍ଛ ଜିଲ୍ଲାର ଭୁଜ-ଖାଭଡ଼ା ହାଇୱେରେ ଘଟିଛି । ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏକ କାର୍ ଭୁଜ ଅଭିମୁଖେ ଯାଉଥିଲା । ଅନ୍ୟପଟୁ ଖାଭଡ଼ା ଆଡ଼କୁ ଆସୁଥିଲା ଏକ ଟ୍ରେଲର ଟ୍ରକ୍। ମରୁଭୂମି ଅଞ୍ଚଳର ଏକ ରାସ୍ତାରେ ଉଭୟ ଗାଡ଼ି ମଧ୍ୟରେ ହୋଇଥିଲା ଭୟଙ୍କର ଧକ୍କା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ ଦୁଇ ଖଣ୍ଡ ହୋଇଯାଇଥିଲା ।
ଏହି ଦୁର୍ଘଟଣାରେ ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଉତ୍ତରାଖଣ୍ଡରୁ କଚ୍ଛ ବୁଲିବାକୁ ଆସିଥିବା ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩୨ ବର୍ଷୀୟ ସୌରଭ ସିଂହ ନେଗୀ, ତାଙ୍କ ପତ୍ନୀ ସବିତା ଏବଂ ମାତ୍ର ୩ ମାସର ଶିଶୁ କନ୍ୟା ଶିବିକା । ସେହିପରି ରିଙ୍କି ନିତିନ ଗୁନସାଇ ଏବଂ ତାଙ୍କ ଝିଅ ବାମିକା, ରାଜେଶ ସିଂହ ରାୱତ ଏବଂ ତାଙ୍କ ୭ ବର୍ଷୀୟ ଝିଅ ରକ୍ଷିତାଙ୍କ ମଧ୍ୟ ଜୀବନ ଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ପ୍ରଶାସନ ପକ୍ଷରୁ ଏକାଧିକ ଆମ୍ବୁଲାନ୍ସ ପଠାଯାଇଥିଲା। ସମସ୍ତ ମୃତଦେହକୁ ଭୁଜ ଡାକ୍ତରଖାନାକୁ ନିଆଯାଇ ପୋଷ୍ଟମର୍ଟମ୍ କରାଯାଇଛି । ପ୍ରାଥମିକ ତଦନ୍ତରୁ ମୃତକମାନେ ଏକ ସେନା ପରିବାରର ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ସେନାର ଅଧିକାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଏପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଗତ ପ୍ରକ୍ରିୟା ଜାରି ରଖିଛି ।










