ରାଜସ୍ଥାନ: ରାଜସ୍ଥାନରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୧୨ ଜଣଙ୍କ ଜୀବନ । ୨୧ ଜଣ ଆହତ । କୋଟା-ଉଦୟପୁର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା କ୍ରୁଜର ଗାଡ଼ି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ନାତା ଥାନା ଅଞ୍ଚଳର ଶମ୍ଭୁପୁରା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପରିବାରର ସମସ୍ତ ସଦସ୍ୟ ଖାଟୁ ଶ୍ୟାମଜୀଙ୍କ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିଲେ। ହେଲେ ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା କ୍ରୁଜର ଗାଡ଼ି। ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅତିରିକ୍ତ ଜିଲ୍ଲାପାଳ ରାଜେଶ ଯୋଶୀ ସୂଚନା ଦେଇଛନ୍ତି ।
କ୍ରୁଜର ଗାଡ଼ିରେ ମୋଟ ୧୬ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ଆହତ ୬ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ମୃତକଙ୍କ ପରିଚୟ ଚିହ୍ନଟ ପାଇଁ ଶବ ବ୍ୟବଚ୍ଛେଦ କରାଯାଉଛି । ସେହିପରି ରାଜସ୍ଥାନର ଯୋଧପୁରରେ ମଧ୍ୟ ଘଟିଛି ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ କାର୍ ଓ ଟ୍ରାଭେଲ୍ସ ଟେମ୍ପୋ ମଧ୍ୟରେ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଯୋଧପୁରର ମଥୁରାଦାସ ମାଥୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ମୃତକ ଓ ଆହତମାନେ ଗୋଟିଏ ପରିବାରର ସଦସ୍ୟ । ସେମାନେ ଗୁଜରାଟରୁ ରାମଦେବରା ଦର୍ଶନ ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଲଗାତାର ଦୁଇଟି ଦୁର୍ଘଟଣା ପରେ ରାଜସ୍ଥାନରେ ଶୋକର ଛାୟା ଖେଳିଯାଇଛି । ଦୁଇଟି ଯାକ ଘଟଣାରେ ମୋଟ ୧୨ ଜଣଙ୍କ ଜୀବନ ଯାଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି ।










