ମେକ୍ସିକୋ: ମେକ୍ସିକୋରେ ସୁରକ୍ଷା ବାହିନୀର ବଡ଼ ସଫଳତା । ଗିରଫ ହେଲା କୁଖ୍ୟାତ ଡ୍ରଗ୍ କାର୍ଟେଲ୍ ମୁଖିଆ ‘ଏଲ୍ ଚାପୋ ଇସିଡ୍ରୋ’ । ମେକ୍ସିକୋର ସିନାଲୋଆ ରାଜ୍ୟରେ ଏକ ବଡ଼ ଧରଣର ଅପରେସନ୍ କରି ଫାଉଷ୍ଟୋ ଇସିଡ୍ରୋ ମେଜା-ଫ୍ଲୋରେସକୁ ଗିରଫ କରିଛି ସୁରକ୍ଷା ବାହିନୀ । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା ଭୟଙ୍କର ଗୁଳିବିନିମୟ । ଏଥିରେ ୭ ଜଣ ସନ୍ଦିଗ୍ଧ କାର୍ଟେଲ୍ ସଦସ୍ୟ ଏବଂ ମେକ୍ସିକୋର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଅପରେସନ୍ ପରେ ସମଗ୍ର ଗୁଆସାଭେ ସହରରେ ଖେଳିଯାଇଥିଲା ଆତଙ୍କ । ରାସ୍ତାରେ ଜଳୁଥିଲା ଟ୍ରକ୍ ଓ କାର୍ । ଚାରିଆଡ଼େ ଶୁଭୁଥିଲା ଗୁଳିମାଡ଼ର ଶବ୍ଦ । ଆକାଶରେ ଉଡ଼ୁଥିଲା ସାମରିକ ହେଲିକପ୍ଟର । ଭୟରେ ଘର ଓ ଦୋକାନ ଭିତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ହଜାର ହଜାର ଲୋକ ।
ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଶନିବାର ଗିରଫ ପରେ ଏଲ୍ ଚାପୋ ଇସିଡ୍ରୋକୁ ସାମରିକ ବିମାନ ଯୋଗେ ରାଜଧାନୀ ମେକ୍ସିକୋ ସିଟିକୁ ନିଆଯାଇଛି । ସେ FBIର ୧୦ ଜଣ ସର୍ବାଧିକ ଚର୍ଚ୍ଚିତ ଫେରାର ଅପରାଧୀଙ୍କ ତାଲିକାରେ ରହିଥିଲା । ତା’ର ଗିରଫଦାରୀ ସମ୍ପର୍କରେ ସୂଚନା ପାଇଁ ଆମେରିକା ପକ୍ଷରୁ ୫୦ ଲକ୍ଷ ଡଲାର, ଅର୍ଥାତ୍ ପ୍ରାୟ ୪୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରୁ ଗୁଆସାଭେ ସହରରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ସହରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ସହ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ସନ୍ଦିଗ୍ଧ କାର୍ଟେଲ୍ ସଦସ୍ୟ । ଏପରିକି ଏକ ବେସବଲ୍ ମ୍ୟାଚ୍ ଚାଲିଥିବା ସମୟରେ ଗୁଳି ଶବ୍ଦ ଶୁଣି ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ ଲୋକେ ।










