ବାଗଦାଦ୍: ଇରାକର ଦକ୍ଷିଣରେ ଥିବା ବସ୍ରା ସହରର ଏକ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ବସ୍ରା ସହରର ଉତ୍ତରରେ ଅବସ୍ଥିତ ଅଲ୍-ହାର୍ଥା ପାୱାର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଦ୍ରୁତ ଗତିରେ ବ୍ୟାପି ଷ୍ଟେସନ ଚାରିପାଖରେ ଥିବା ଆବାସିକ କୋଠାଗୁଡ଼ିକୁ ମଧ୍ୟ ଗ୍ରାସ କରିଥିଲା। ଫଳରେ ଅନେକ ଘର ଏବଂ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଦ୍ୟୁତ୍ କେନ୍ଦ୍ରକୁ ଯୋଗାଣ କରୁଥିବା ଏକ ଗ୍ୟାସ୍ ପାଇପଲାଇନ୍ରେ ହଠାତ୍ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।










