ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସିପାଲିଟି ୩ ନମ୍ବର ୱାର୍ଡର କାଉନସିଲର ଅଭିମନ୍ୟୁ ପଣ୍ଡା ନିଖୋଜ ରହିଛନ୍ତି । ଗତକାଲିଠାରୁ ଘରୁ ଯାଇଥିବା ବେଳେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ଏନେଇ ତାଙ୍କ ଝିଅ ଢେଙ୍କାନାଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ, ଅଭିମନ୍ୟୁ ଘରୁ ଯିବା ପରେ ଆଉ ଫେରିନଥିଲେ । ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଶେଷରେ ତାଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଜାରି ରଖିଛି ।ଅନ୍ୟପଟେ ଅଭିମନ୍ୟୁ ପଣ୍ଡାଙ୍କ ରାଜନୈତିକ ଦଳ ପରିବର୍ତ୍ତନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ ବିଜେଡି ଟିକେଟ୍ରେ କାଉନସିଲର ଭାବେ ବିଜୟୀ ହୋଇଥିଲେ । ତେବେ ଗତ ୧୬ ତାରିଖରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ତାଙ୍କ ନିଖୋଜ ଘଟଣାକୁ ନେଇ ପରିବାର ଚିନ୍ତାରେ ଥିବା ବେଳେ ପୁଲିସ ତାଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଛି ।









