ନୂଆଦିଲ୍ଲୀ: ପୁଲିସ ଏନକାଉଣ୍ଟର ରେ ନିପାତ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ନସିମ ଦୁରାନି । ଦିଲ୍ଲୀ ପୋଲିସ ଏବଂ ନୋଏଡା ଏସଟିଏଫର ମିଳିତ ଅପରେସନରେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଏନକାଉଣ୍ଟର ହୋଇଛି । ନସିମ ଦୁରାନି ଡି- କମ୍ପାନୀ ସିଣ୍ଡିକେଟ ସହ ଜଡିତ ଥିବା ଅଭିଯୋଗ ରହିଛି । ସୂଚନା ଅନୁସାରେ , ଦୁଇ ଦିନ ପୂର୍ବରୁ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ବାହାରେ ସମୀର ନାମକ ଜଣେ ଯୁବକ ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡରେ ନସିମ ଦୁରାନିର ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ ପୁଲିସ ତାର ଗତିବିଧି ଉପରେ ନଜର ରଖିଥିଲା । ଏହାରି ଭିତରେ ବୁଲନ୍ଦସହରରେ ନସିମ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଦିଲ୍ଲୀ ପୋଲିସ ଓ ନୋଏଡା ଏସଟିଏଫ ମିଳିତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଗୁଳି ବିନିମୟ ହୋଇଥିଲା । ଏବଂ ଏଥିରେ ନସିମ ଦୁରାନି ନିହତ ହୋଇଥିଲେ । ଅନ୍ୟପଟେ, ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡଯନ୍ତ୍ରରେ ମଧ୍ୟ ନସିମ ସାମିଲ ଥିବା ଅଭିଯୋଗ ହୋଇଛି । ଏଥିପାଇଁ ସୁପାରି ନେଇଥିବା ମଧ୍ୟ କୁହାଯାଉଛି ।










