• ଚଳିତ ବର୍ଷ ମହୋତ୍ସବର ବିଷୟବସ୍ତୁ ‘ସୀମାହୀନ କାହାଣୀ’
• ବିଶ୍ୱର ବିଭିନ୍ନ ସ୍ଥାନରୁ ଯୋଗ ଦେବେ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିତ୍ୱ
• ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିବ ଚଳଚ୍ଚିତ୍ର, ସଂଗୀତ ଏବଂ ସଂସ୍କୃତିର ଉତ୍ସବ
ଗୋଆ : ଆସନ୍ତାକାଲି ଗୋଆରେ ଆରମ୍ଭ ହେବାକୁ ଯାଉଛି ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)। ଏହି ମହୋତ୍ସବରେ ଭାରତ ଏବଂ ବିଦେଶରୁ ଚଳଚ୍ଚିତ୍ର ନିର୍ମାତା, କଳାକାର, ପ୍ରତିନିଧି ଓ ସିନେମାପ୍ରେମୀମାନେ ଯୋଗ ଦେବେ । ଭବ୍ୟ ଉଦଘାଟନୀ ସମାରୋହରେ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର ଉତ୍ସବ ଦେଖିବାକୁ ମିଳିବ । ଏଥର ଇଫିର ବିଷୟବସ୍ତୁ ରଖାଯାଇଛି ‘ଷ୍ଟୋରିଜ୍ ୱିଦ୍ଆଉଟ୍ ବର୍ଡର୍ସ’ ବା ସୀମାହୀନ କାହାଣୀ। ମହୋତ୍ସବରେ ବିଭିନ୍ନ ଦେଶ, ସଂସ୍କୃତି ଓ ସିନେ ପରମ୍ପରାର ସଂଖ୍ୟାଧିକ ଚଳଚ୍ଚିତ୍ର ଏବଂ ସୃଜନଶୀଳ ସ୍ୱରକୁ ପ୍ରତିନିଧିତ୍ୱ ମିଳିବ। ଗୋଆର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।
ଉଦଘାଟନୀ ସମାରୋହରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦୀ ସାୱନ୍ତଙ୍କ ସମେତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେବେ । ଏମାନଙ୍କ ବ୍ୟତୀତ ଅଭିନେତା ତଥା ସାଂସଦ ରବି କିଷନ, ଚଳଚ୍ଚିତ୍ର ନିର୍ମାତା ଓ ମହୋତ୍ସବର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର, ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଆନନ୍ଦ ଏଲ. ରାୟଙ୍କ ସମେତ ଦେଶ ଓ ବିଦେଶର ବହୁ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଉପସ୍ଥିତ ରହିବେ । ସମାରୋହରେ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତଜ୍ଞ ରିକି କେଜ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ମହୋତ୍ସବରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ଏଲ. ରାୟଙ୍କ ଅଧ୍ୟକ୍ଷତାରେ ଏକ ବିଚାରକ ମଣ୍ଡଳୀ ସମସ୍ତ ଚଳଚ୍ଚିତ୍ରର ମୂଲ୍ୟାଙ୍କନ କରିବେ । ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଅଧ୍ୟକ୍ଷତାରେ ଭାରତୀୟ ପାନୋରମା ବିଚାରକ ମଣ୍ଡଳୀ ଗଠନ କରାଯାଇଛି । ଅଣଫିଚର୍ ଫିଲ୍ମ ବିଚାରକ ମଣ୍ଡଳୀର ଅଧ୍ୟକ୍ଷତା କରୁଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ।
ନଅ ଦିନ ଧରି ଚାଲିବାକୁ ଥିବା ମହୋତ୍ସବରେ ୮୬ଟି ଦେଶର ୧୫୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ପ୍ରଥମେ ପୋଲାଣ୍ଡ ଚଳଚ୍ଚିତ୍ର ନିର୍ମାତା ପାୱେଲ୍ ପାଓଲିକୋସ୍କିଙ୍କ ‘ଫାଦର୍ଲ୍ୟାଣ୍ଡ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ସେ ୨୦୨୬ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ଶେଷ ଦିନ ଅର୍ଥାତ୍ ୨୮ ନଭେମ୍ବରରେ ସିଙ୍ଗାପୁର ନିର୍ଦ୍ଦେଶକ ଆନ୍ଥୋନି ଚେନଙ୍କ ‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏଥର ସ୍ପେନକୁ ସମ୍ମାନିତ ରାଷ୍ଟ୍ର ଏବଂ ରୁଷକୁ ସହଯୋଗୀ ରାଷ୍ଟ୍ର ରୂପେ ମହୋତ୍ସବରେ ସ୍ୱୀକୃତି ମିଳିଛି । ଇଣ୍ଡିଆନ ପାନୋରମା ବର୍ଗରେ ୧୮ଟି ଭାଷାର ୭୬ଟି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ବ୍ରିକ୍ସ ସିନେମା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିବାରୁ ଏହାର ସଦସ୍ୟ ଦେଶର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ ହେବ ।
ଇଫି ୨୦୨୬ରେ ଏନିମେସନ ଏବଂ ଫିଲ୍ମ ଏବାଉଟ୍ ଫିଲ୍ମସ୍ ଭଳି ଦୁଇଟି ନୂଆ ବର୍ଗକୁ ସାମିଲ କରାଯାଇଛି । ଏହା କାହାଣୀ କହିବାର ବିବିଧ ସ୍ୱରୂପ ଏବଂ ଚଳଚ୍ଚିତ୍ର ଦୁନିଆର ନୂଆ ଦିଗକୁ ଉଜାଗର କରିବ । ମହୋତ୍ସବର ପ୍ରତିଯୋଗିତା ବର୍ଗରେ ସମ୍ମାନ ଜନକ ସ୍ୱର୍ଣ୍ଣ ମୟୂର ଏବଂ ରୋପ୍ୟ ମୟୂର ପୁରସ୍କାର ପ୍ରଦାନ କରାଯିବ । ଶ୍ରେଷ୍ଠ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ସମେତ ସମେତ ଛଅଟି ବର୍ଗରେ ପୁରସ୍କାର ଦିଆଯିବ । କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ ପ୍ରତିଯୋଗିତା ଜରିଆରେ ଯୁବ ଚଳଚ୍ଚିତ୍ର ନିର୍ମାତା ଏବଂ ପେସାଦାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ ।ମହୋତ୍ସବରେ ଚଳଚ୍ଚିତ୍ର ନିର୍ମାତା, କଳାକାର, ଛାତ୍ରଛାତ୍ରୀ ଏବଂ ଶିଳ୍ପ ପେସାଦାରଙ୍କ ପାଇଁ ସ୍ୱତନ୍ତ୍ର ଆଲୋଚନା ଅଧିବେଶନ ଆୟୋଜନ କରାଯିବ । ଯେଉଁଥିରେ ସେମାନେ ସୃଜନଶୀଳ ସମ୍ପର୍କ ସ୍ଥାପନ, ସହଭାଗିତା, ସୁଯୋଗ ଆଦି ବିଷୟରେ ଆଲୋଚନା କରିବେ । ଏହା ନିର୍ମାତା ଓ ପ୍ରଯୋଜକମାନଙ୍କୁ କ୍ରେତା, ବିତରକ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଯୋଡ଼ିବ । ୧୯୫୨ରେ ପ୍ରତିଷ୍ଠା ହୋଇଥିବା ଇଫି ଭାରତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି ।









