ଭୁବନେଶ୍ୱର: ପମ୍ପଡ ଷ୍ଟୋରେଜ ପ୍ରକଳ୍ପ ପାଇଁ ଅର୍ଥବ୍ୟୟ ଉପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉତ୍ତର ରଖି କହିଛନ୍ତି , ଉପର ଇନ୍ଦ୍ରାବତୀ ପମ୍ପଡ ଷ୍ଟୋରେଜ ପ୍ରକଳ୍ପ ପାଇଁ ପ୍ରତିଯୋଗିତା ମୂଳକ ନିବିଦା ପ୍ରକ୍ରିୟାରେ ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡଙ୍କୁ ସର୍ବନିମ୍ନ ମୂଲ୍ୟଦାତା ଭାବେ ଚୟନ କରାଯାଇଛି । ପ୍ରକଳ୍ପର ମୋଟ ବ୍ୟୟ ମୂଲ୍ୟ ୪୭୦୮.୬୪ କୋଟି ଅଟେ । ପ୍ରକଳ୍ପ ବ୍ୟୟର ୨୦ ପ୍ରତିଶତ ଅଂଶ ଓଏଚପିସି ଦ୍ୱାରା ଇକ୍ୱିଟି ଭାବେ ବିନିଯୋଗ କରାଯିବ । ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ପ୍ରତିଶତ ଆବଶ୍ୟକତା ଅନୁଯାୟୀ, ସ୍ୱଳ୍ପ ସୁଧ ଋଣ ଆକାରରେ ପ୍ରଦାନ କରାଯିବ । ଯାହାର ସୁଧ ହାର ଆରବିଆଇ ର ରେପୋ ରେଟ ସହିତ ସମାନ ରହିବ । ଏହି ପ୍ରକଳ୍ପରୁ ବାର୍ଷିକ ୧,୦୪୦ ମିଲିୟନ ୟୁନିଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ।ଯଦି କମ ଚାହିଦା ସମୟରେ ଏହି ପ୍ରକଳ୍ପରେ ବିଦ୍ୟୁତ ବ୍ୟବହାର କରି ଜଳକୁ ଉପର ଜଳାଶୟକୁ ପମ୍ପ କରାଯିବ ଏବଂ ଅଧିକ ଚାହିଦା ସମୟରେ ସେହି ଜଳରୁ ବିଦ୍ୟୁତ ଉତ୍ପାଦନ କରାଯିବ । ଅନ୍ୟ ସମସ୍ତ ଶକ୍ତି ସଞ୍ଚୟ ପ୍ରଯୁକ୍ତି ପରି, ପିଏସପିରେ ଉତ୍ପାଦିତ ବିଦ୍ୟୁତ ଶକ୍ତିଠାରୁ ଅଧିକ ବିଦ୍ୟୁତ ଶକ୍ତି ବ୍ୟୟ ହୋଇଥାଏ ।










