ଭୁବନେଶ୍ୱର: ବିଧାନସଭାରେ ଶୀତ ଅଧୀବେଶନ ହେବା ପୂର୍ବରୁ ଆଜି ସନ୍ଧ୍ୟା ୫ଟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିବ ବୈଠକ । ଆଗାମୀ ଶୀତ ଅଧୀବେଶନରେ କେଉଁ ସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଯଦି କହିବା ବାତ୍ୟା ଅର୍ଣ୍ଣବର ମୁକାବିଲାରେ ସରକାରଙ୍କ ଅବହେଳା, ବିଫଳତା, କୋଟିଆ ବିବାଦ, ମହାନଦୀ ପ୍ରସଙ୍ଗ , ରାଜ୍ୟର ଆଇନ ବିପର୍ଯ୍ୟସ୍ତ ପ୍ରସଙ୍ଗ ଏସବୁ କୁନେଇ ବିଜେଡି ସରକାରଙ୍କୁ ଘେରିବାକୁ ଉଦ୍ୟମ ଚଳାଇଛି । ତେବେ ଶାସକ ଦଳକୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରହିଛି । ବିରୋଧୀଙ୍କ ପ୍ରଶ୍ନର ମୁକାବିଲା କରିବା ପାଇଁ ଶାସକ ଦଳ କେତେ ପ୍ରସ୍ତୁତ ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ପୂର୍ବରୁ ହୋଇଥିବା ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ଭଲଭାବରେ ଚାଲିପାରିନଥିଲା । ବାରମ୍ବାର ପ୍ରଶ୍ନକାଳ ଧୋଇହୋଇଯାଉଥିଲା । ବିରୋଧୀଙ୍କ ବିଶୃଙ୍ଖଳାରେ ବାରମ୍ବାର ଉପବାଚସ୍ପତି, ବାଚସ୍ପତି ଗୃହ ମୁଲତବୀ କରୁଥିଲେ । ତେବେ ଏହି ଶୀତ ଅଧିବେଶନରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମିଳିବ ନା ଗୃହ ଅଚଳ ରହିବ ତାହା ଅପେକ୍ଷାରେ ଜନତା । ସେପଟେ ଆଜି ସକାଳେ ୧୧ଟା ୩୦ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀମଧ୍ୟ ଉପସ୍ଥିତ ରହିବେ ।










