ନୂଆଦିଲ୍ଲୀ : ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣଙ୍କୁ ଜାମିନ୍ ମିଳିଛି। ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଜେଲ୍ରେ କାଟିବା ପରେ କୋର୍ଟ ସେମାନଙ୍କ ଆଜୀବନ ଜେଲ୍ଦଣ୍ଡକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଲେଙ୍କ ଖଣ୍ଡପୀଠ ଗତ ଅକ୍ଟୋବର ୨୮ ତାରିଖରେ ଏହି ଆଦେଶ ଦେଇଥିଲେ। ଦୁଇ ଦୋଷୀଙ୍କ ଜାମିନ୍ ଆବେଦନର ଶୁଣାଣି କରି କୋର୍ଟ କହିଥିଲେ ଯେ, ସେମାନେ ୧୭ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିସାରିଛନ୍ତି। ସେହିପରି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଦିବ୍ୟାଙ୍ଗ ଅଛନ୍ତି। ଏହା ସହିତ ମାମଲାର ଅପିଲ୍ରେ କିଛି ଆଇନଗତ ଓ ତଥ୍ୟଗତ ଦିଗ ରହିଛି, ଯାହାର ବିଚାର ହେବା ଆବଶ୍ୟକ। ତେଣୁ ଅପିଲ୍ର ଚୂଡ଼ାନ୍ତ ଶୁଣାଣି ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜାମିନ୍ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।ଦୁଇ ଦୋଷୀ ବମ୍ବେ ହାଇକୋର୍ଟଙ୍କ ୨୦୧୭ ମସିହାର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ। ସେହି ରାୟରେ ଉଭୟଙ୍କ ଦୋଷୀ ସାବ୍ୟସ୍ତ ହେବା ଓ ଆଜୀବନ କାରାଦଣ୍ଡକୁ କାଏମ ରଖାଯାଇଥିଲା।
୨୦୦୨ ମସିହାରେ ଗୁଜରାଟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ଏହା ସହ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା










