ଭୁବନେଶ୍ୱର: ଅର୍ଣ୍ଣବ ପ୍ରଭାବରେ ଉଜୁଡ଼ିଯାଇଥିବା ସଂସାର, ଦୁର୍ଦ୍ଦଶାର ଖବର ମନରୁ ନ ଲିଭୁଣୁ ପୁଣି ଭୟ ଘାରିଲାଣି ଆଉ ଏକ ସମ୍ଭାବ୍ୟ ବାତ୍ୟା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜଳ ନିଷ୍କାସନ ଆରମ୍ଭ ହୋଇଛି । ରବିବାର ରାତି ୧୧ଟା ୩୦ରେ ଘୋଡାହାଡ ଏବଂ ରାତି ୧୨ଟା ୫ ମିନିଟ ରେ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ ଖୋଲାଯାଇଥିଲା । ଘୋଡାହାଡ ଜଳଭଣ୍ଡାରର ଗୋଟିଏ ଗେଟ ଦେଇ ପ୍ରତି ସେକେଣ୍ଡରେ ୩୪. ୭୭ ଘନ ମିଟର ଜଳ ନିଷ୍କାସିତ ହେଉଛି । ସେହିପରି ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଉପସ୍ଥିତିରେ ବାଘଲଟି ଜଳଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇଛି । ଏଠାରୁ ପ୍ରତି ସେକେଣ୍ଡରେ ପ୍ରାୟ ୩୦.୭୨ଘନ ମିଟର ଜଳ ଛଡାଯାଉଛି ।
ଆସନ୍ତା ୧୭ ତାରିଖ ସୁଦ୍ଧା ଉଭୟ ଜଳଭଣ୍ଡାରର ଜଳଧାରଣ ସ୍ତରକୁ ବର୍ତ୍ତମାନର ପ୍ରାୟ ୭୫ ପ୍ରତିଶତରୁ କମାଇ ୬୦ ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ ପରିମାଣ ସହ ତଳମୁଣ୍ଡର ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଦିଆଯାଇଛି । ସୂଚନାଥାଉକି, ଗତକାଲି ସମ୍ଭାବ୍ୟ ବାତ୍ୟାର ମୁକାବିଲାର ପ୍ରସ୍ତୁତି ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦିଆଯାଇଛି ।










