ଆମେରିକାରେ ବିମାନ ସେବାକୁ ନେଇ ଦେଖାଦେଇଛି ବଡ଼ ସଙ୍କଟ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ଦେଶର ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସମସ୍ୟା ଶନିବାର ମଧ୍ୟ ଜାରି ରହିଥିବା ବେଳେ ରବିବାର ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଫସି ରହିଛନ୍ତି।
ଆମେରିକାର ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା ଏଫ୍ଏଏର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଯୋଗାଯୋଗ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଦେଖାଦେଇଥିଲା। ଏହାପରେ ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ବିମାନ ଉଡ଼ାଣ ଉପରେ ଅସ୍ଥାୟୀ ରୋକ୍ ଲଗାଯାଇଥିଲା। ପ୍ରାୟ ୫ ଘଣ୍ଟା ଧରି ଅଧିକାଂଶ ବିମାନ ଉଡ଼ାଣ ବନ୍ଦ ରହିଥିଲା। ଫଳରେ ଆମେରିକାର ବିମାନ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।ବିମାନ ଚଳାଚଳ ଉପରେ ନଜର ରଖୁଥିବା ୱେବସାଇଟ୍ ‘ଫ୍ଲାଇଟ୍ଆୱେର’ର ତଥ୍ୟ ଅନୁସାରେ, ଶନିବାର ସନ୍ଧ୍ୟା ୬ଟା ୪୫ ମିନିଟ୍ ସୁଦ୍ଧା ଆମେରିକାରେ ୬ ହଜାର ୧୫୦ରୁ ଅଧିକ ବିମାନ ବାତିଲ୍ ହୋଇଥିଲା। ସେହିପରି ୭ ହଜାର ୩୦୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ଘଟିଥିଲା। ଏହା ପୂର୍ବରୁ ଶୁକ୍ରବାର ପ୍ରାୟ ୯ ହଜାର ୨୦୦ ବିମାନ ବାତିଲ୍ ହୋଇଥିବା ବେଳେ ୭ ହଜାର ୫୦୦ ବିମାନ ବିଳମ୍ବରେ ଚଳାଚଳ କରିଥିଲା। ଏପରିକି ରବିବାର ପାଇଁ ନିର୍ଦ୍ଧାରିତ ୫୩୦ରୁ ଅଧିକ ବିମାନକୁ ମଧ୍ୟ ଆଗୁଆ ବାତିଲ୍ କରାଯାଇଥିଲା।










