24.1 C
Bhubaneswar
Saturday, November 14, 2026
Homeଓଡିଶାବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ
କୁପୋଷଣର ଶିକାର: ବିଜେଡି

ବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ
କୁପୋଷଣର ଶିକାର: ବିଜେଡି

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା କୋଟିଏ ହସ ପରିକଳ୍ପନା କେବଳ ଏକ ଆଭାସୀ ଉତ୍ସବ ଓ ଫଟୋ ସେସନ୍ର ପ୍ରୟାସ । ବିଜେପି ସରକାରରେ ରାଜ୍ୟରେ ଅଙ୍ଗନବାଡି ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଶିଶୁମାନେ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଥିବା କହିଛି ବିଜେଡି ।ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ବାସ୍ତବରେ ଓଡ଼ିଶାର ଲକ୍ଷ ଲକ୍ଷ ଶିଶୁ ଆଜି କୁପୋଷଣର ଶିକାର । ବିଜେପି ସରକାରର ଗତ ୨୮ ମାସର ଶାସନ କାଳରେ ଶିଶୁ କଲ୍ୟାଣ କ୍ଷେତ୍ରରେ ଯେଉଁ ବିଫଳତା ଦେଖାଯାଇଛି, ତାହା ଉପରେ ଆଖି ବୁଜି ଦେଇ କେବଳ ହସର କଥା କହିବା ଶିଶୁଙ୍କ ପ୍ରତି ଅନ୍ୟାୟ । ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେର ସବିଶେଷ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ତୀବ୍ର କୁପୋଷଣ ହାର ବଢ଼ିଛି । ଏହା ଜାତୀୟ ହାର ଠାରୁ ଅଧିକ । କମ୍ ଓଜନ ଥିବା ଶିଶୁଙ୍କ ହାର ମଧ୍ୟ ବଢ଼ିଛି । ରାୟଗଡା, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଭଳି ଜିଲ୍ଲାରେ ପରିସ୍ଥିତି ଗୁରୁତର ରହିଛି । ହଜାର ହଜାର ଶିଶୁ ଆଜି ମଧ୍ୟ ଗମ୍ଭୀର କୁପୋଷଣ ଶିକାର । ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ମାପ ଓ ନିରୀକ୍ଷଣରେ ବ୍ୟାପକ ଅସମାନତା ରହିଛି । ଅନେକ ଅଙ୍ଗନବାଡ଼ିରେ ଆବଶ୍ୟକ ସୁବିଧା, ପ୍ରଶିକ୍ଷିତ କର୍ମୀ ଓ ନିରବଚ୍ଛିନ୍ନ ସେବାର ଅଭାବ ରହିଛି ।

ଶ୍ରୀମତୀ ଛୁରିଆ ଆହୁରି କହିଥିଲେ ଯେ, ଏହି ପରିସ୍ଥିତିରେ କେବଳ ଉତ୍ସବ ପାଳନ କରି କିଟ୍ ବଣ୍ଟନ କରିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ । ଶିଶୁଙ୍କ ପ୍ରକୃତ ହସ ସେତେବେଳେ ଆସିବ, ଯେତେବେଳେ ସେମାନେ ପର୍ଯ୍ୟାପ୍ତ ପୋଷଣ, ପ୍ରାରମ୍ଭିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବେ । ବିଜେପି ସରକାର ଏହି ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ନୂଆ ନୂଆ ଯୋଜନାର ଘୋଷଣା ହେଉଛି, ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ସରକାର କୁପୋଷଣ ରୋକିବା ପାଇଁ ତୁରନ୍ତ ବ୍ୟାପକ ଓ ଫଳପ୍ରଦ ପଦକ୍ଷେପ ନିଅନ୍ତୁ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ନିରୀକ୍ଷଣ ଓ ପାରଦର୍ଶିତା ନିଶ୍ଚିତ କରାଯାଉ । ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ । ରାଜନୈତିକ ଉତ୍ସବ ନ କରି, ବାସ୍ତବ କାର୍ଯ୍ୟ କରାଯାଉ । ଶିଶୁମାନେ ଆମ ରାଜ୍ୟ ଓ ଦେଶର ଭବିଷ୍ୟତ । ସେମାନଙ୍କ ହସକୁ ସୁରକ୍ଷିତ କରିବା ପାଇଁ କେବଳ କଥା ନୁହେଁ, କାର୍ଯ୍ୟ ଆବଶ୍ୟକ । ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ରହିଛି ଏବଂ ସରକାରଙ୍କ ବିଫଳତା ବିରୁଦ୍ଧରେ ଲଗାତାର ସ୍ୱର ଉଠାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking