26.1 C
Bhubaneswar
Thursday, November 12, 2026
Homeଓଡିଶାଏ ହେଉଛି ହେଡ ଲାଇନ ମ୍ୟାନେଜମେଣ୍ଟ ସରକାର

ଏ ହେଉଛି ହେଡ ଲାଇନ ମ୍ୟାନେଜମେଣ୍ଟ ସରକାର

ଭୁବନେଶ୍ୱର: ଗୁରୁବାର ମଧ୍ୟାହ୍ନରେ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଭବନରେ ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ପ୍ରଥମ ପ୍ରସଙ୍ଗରେ ପିସିସି ସାଧାରଣ ସମ୍ପାଦିକା ସୋନାଲି ସାହୁ କହିଥିଲେ, ଗତ ୧୦ ତାରିଖ ଦିନ ରାଜ୍ୟ ସରକାର ରାଜ୍ୟର ୫ଲକ୍ଷ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜାରେ ସାମିଲ କରିବେ ବୋଲି ଘୋଷଣା କରି ରାଜ୍ୟବାସୀଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ମାସିକ ୩ ହଜାର ଟଙ୍କା ଦେବେବୋଲି କହିଥିଲେ । ୩ହଜାର ଟଙ୍କା ତ ଦୂରର କଥା ପୂର୍ବାରୁ ପାଉଥିବା ୧୦୦୦ଟଙ୍କା ବି ଦୀର୍ଘ ୬ମାସଧରି ମଳିନାହିଁ । ଯେଉଁଥିପାଇଁ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗତ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କର ୧୦୦ ଟଙ୍କାର ମାସିକ ଭତ୍ତା ପାଇ ନଥିଲେ । ଯେତେବେଳେ ଏହାକୁ ନେ ରାଜ୍ୟବାସୀ ପ୍ରତିକ୍ରିୟା ଦେଖାଇଲେ ସେତେବେଳ ରାଜ୍ୟ ସରକାର ସଫେଇ ଦେଇ ବୈଷୟିକ ଓ ସପ୍ଟୱେର ତ୍ରୁଟି ଦର୍ଶାଇ ହିତାଧିକାରୀଙ୍କୁ ଭୁଆଁ ବୁଲାଇଥିଲେ । ଗତ ଏପ୍ରିଲ ମାସ ସୁଦ୍ଧା ସାମାଜିକର ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ରାଜ୍ୟର ୬ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୬୨୦୫ ଜାତୀୟ ପେନସନ ଯୋଜନାରେ ଭତା ପାଇଁ ଆବେଦନ କରିଥିଲେ ଓ ମଧୁବାବୁ ପେନସନ ଯୋଜନାରେ ୫ ଲକ୍ଷ ୮୮ହଜାର ୪୮୩ ଜଣ ଆବେଦନ କରିଥିଲେ । ସରକାର ୫ଲକ୍ଷ ହିତାଧିକାରୀଙ୍କୁ ଚୟନ କଲେ ବାକି ୧ଲକ୍ଷ ଆବେଦନକାରୀ କୁଆଡ଼େ ଗଲେ? ଅନ୍ୟ ପକ୍ଷରେ, ଓଡ଼ିଶା ସରକାରଙ୍କ ପରିସଂଖ୍ୟାନ ଅନୁସାରେ ଗତ ଏପ୍ରିଲ ମାସ ସୁଦ୍ଧା ରାଜ୍ୟର ୫୮ଲକ୍ଷ ୪୭ହଜାର ୨୯୭ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ଲକ୍ଷ ୬୨ ହଜାର ୯୨୨ ଜଣଙ୍କୁ କେନ୍ଦ୍ର ସରକାର ୨୦୦ ଟଙ୍କା ପ୍ରଦାନ କରୁଥଲେ ଓ ପୂର୍ବ ସରକାର ସେଥିରେ ୮୦୦ ଟଙ୍କା ମିଶାଇ ୧୦୦୦ଟଙ୍କା ଦେଉଥିଲେ ।

ମଧୁବାବୁ ପେନସନ ଯୋଜନାରେ ୩୬ଲକ୍ଷ ୭୫ ହଜାର ହିତାଧିକାରୀ ଥିବାବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ୧୨ଲକ୍ଷ ୬୨ ହଜାର ୯୨୨ ଜଣ ହିତାଧିକାରୀ ସରକାର କହୁଛନ୍ତି ୫୮ ଲକ୍ଷ ୪୭ ହଜାର ୨୯୭ ଜଣ । ବାକି ହିତାଧିକାରୀ କୁଆଡ଼େ ଗଲେ କ’ଣ ଶୂନ୍ୟରେ ଉଡ଼ିଗଲେକି?

ସରକାର ଋଣ କରି ଘିଅ ଖାଇ ଚାଲିଛନ୍ତି । କୋଟି କୋଟି ଟଙ୍କାର ପଖାଲ ଖାଇଗଲେ । ଚାରିଆଡ଼େ ପୋଷ୍ଟର ବ୍ୟାନର ଲଗାଇବାରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି । ଏବେ ଓଡ଼ିଶାରେ ଯେଉଁ ଶିଶୁଟି ଜନ୍ମ ହେବ ସେ ୨୭,୬୨୫ ଟଙ୍କାର ଋଣ ମୁଣ୍ଡେଇକି ଜନ୍ମ ନେବ । ସବୁତ ଋଣ କରି କରୁଛ । ସେମିତି ଋଣ କରି ପେନସନ ଦେବାକୁ କିଏ ମନାକରିଥିଲା ।

ଭତ୍ତା ନପାଇ ଗତ ଅଗଷ୍ଟ ମାସ ୧୬ ତାରିଖରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ କୁଳସରିଚୁଆଁ ପଞ୍ଚାୟତର ବରାଳ ଗ୍ରାମର ୬୪ ବର୍ଷିୟ କୈଳାସ ବେହେରା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକର ଚଡ଼ିଆପଡ଼ା ଗ୍ରାମର ୬୭ ବର୍ଷିୟ ବିଧବା ମହିଳା ୩ ମାସ ଧରି ଭତ୍ତା ନପାଇ ଗତ ଜୁନ ୧୬ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେହିପରି ଚାଲିବାକୁ ଅକ୍ଷମଥିବା ଗୁମ୍ବାଇ ନିପୁଳା କର ଗୁରୁଣ୍ଡି ଗୁରୁଣ୍ଡି ବିଡିଓଙ୍କୁ ଦୁଃଖ ଜଣାଇବା ହୃଦୟ ବିଦାରକ ।

ସରକାର ପୂର୍ବ ହିତାଧିକାରୀଙ୍କୁ ଭତ୍ତା ଦେଇ ପାରୁନଥିବା ବେଳେ ନୂଆ ୫ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ଘଟଣା ହାସ୍ୟାସ୍ପଦ । ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ପ୍ରକାଶିତ ତଥ୍ୟରେ କୌଣସି ତାଳମେଳ ନାହିଁ । ସୁନ୍ଦରଗଡ଼ରେ ୩୧୬୨ ଭିନ୍ନକ୍ଷମ ଆଜିବି ଭତ୍ତା ନପାଇ ଭୋକ ଉପାସରେ ରହୁଛନ୍ତି । ସମ୍ବଲପୁର ମହାନଗର ନିଗମରେ ଆଜିବି ୨୪୬୪ ବିଧବା ମା ଭତ୍ତାକୁ ଚାହିଁ ବସିଛନ୍ତି । ସେପଟେ ରାଜ୍ୟର ବରିଷ୍ଠ ନାଗରିକ ୩୦୦୦ ଟଙ୍କାକୁ ଅପେକ୍ଷା ଅପେକ୍ଷା କରି ସେଥି ମଧ୍ୟରୁ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇଗଲାଣି । ୨୦୨୪ ରେ ସାମାଜିକ ସଶାକ୍ତିକରଣ ବିଭାଗ ତରଫରୁ ବରିଷ୍ଠ ନାଗରିକ ପାଇଁ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ ଗଠନ କରିବାକୁ କହିଥିଲେ । କୁଆଡ଼େ ଗଲା ସ୍ୱତନ୍ତ୍ର ସେଲ । ସେ କହିଥିଲେ, ବିଭିନ୍ନ ସଂସ୍ଥାର ଡୋମେନ ଏକ୍ସପୋର୍ଟଙ୍କୁ ନେଇ ଏକ କମିିଟି ଗଠନ କରିବେ ବୋଲି, କୁଆଡ଼େ ଗଲା କମିଟି? ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଡେ କେୟାର ସେଣ୍ଟର ପ୍ରତିଷ୍ଠା କରିବେ ବୋଲି କହିଥିଲେ କୁଆଡ଼େ ଗଲା? (ଗୋଶାଳା)
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭକୁଆ ବନେଇବା ଛାଡ଼ି ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର । ଆଜିର ସାମ୍ବାଦିକ ସମ୍ମିଳନୀରେ ଡ. ମନିଷାଦାସ ପଟ୍ଟନାୟକ ଯୋଗ ଦେଇ ଗଂଜାମ ବନ୍ୟା ଉପରେ ଆଲୋକପାତ କରିଥିଲେ।

ବନ୍ୟା ବିପନ୍ନଙ୍କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଛନ୍ତି ସରକାର: କଂଗ୍ରେସ
> ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହଜାର ହଜାର ପରିବାର ସର୍ବସ୍ୱ ହରାଇଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଓ ଉଦାସୀନତା ଅତ୍ୟନ୍ତ ଦୁଃଖଦାୟକ। ବନ୍ୟାର ପୂର୍ବ ସୂଚନା ଅକ୍ଟୋବର ୨୩ ତାରିଖରୁ ଥିଲେ ମଧ୍ୟ ସରକାର ଓ ସମ୍ପୃକ୍ତ ବିଭାଗ କୌଣସି ପ୍ରକାର ପର୍ଯ୍ୟାପ୍ତ ପ୍ରସ୍ତୁତି କରିନଥିଲେ। ଡ୍ୟାମ୍ ପରିଚାଳନା ସମ୍ପର୍କରେ ଏବେ ସାମ୍ନାକୁ ଆସୁଥିବା ତଥ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ଆହୁରି ସ୍ପଷ୍ଟ କରୁଛି ବୋଲି ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦିକା ସୋନାଲି ସାହୁ ଓ କଂଗ୍ରେସ ମୁଖପାତ୍ର ଡ଼. ମନୀଷା ଦାସ ପଟ୍ଟନାୟକ କହିଛନ୍ତି।

ଡ଼. ମନୀଷା ଦାସ ପଟ୍ଟନାୟକ କହିଥିଲେ ଯେ, ବନ୍ୟାରେ ଲୋକଙ୍କ ଘରଦ୍ୱାର, ଟଙ୍କା, ସୁନାଗହଣା ଓ ସମସ୍ତ ସଞ୍ଚିତ ସମ୍ପତ୍ତି ଭାସିଯାଇଛି। ଲୋକଙ୍କ ପାଖରେ ଖାଦ୍ୟ, ପିଇବା ପାଣି, ପୋଷାକ, ଏପରିକି ମହମବତୀ ମଧ୍ୟ ନାହିଁ। ବିଦ୍ୟୁତ୍ ସେବା ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଲୋକମାନେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବାବେଳେ ମୋବାଇଲ୍ ଟଏଲେଟ୍, ଡାକ୍ତରୀ ଟିମ୍, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକ ଔଷଧର ବ୍ୟବସ୍ଥା ନାହିଁ। ସାପ କାମୁଡ଼ା, ବିଛା କାମୁଡ଼ା, ଥଣ୍ଡା, କାଶ ଓ ଜ୍ୱର ପାଇଁ ତୁରନ୍ତ ଔଷଧ ଯୋଗାଇବା ଆବଶ୍ୟକ।

ଡ଼. ପଟ୍ଟନାୟକ ଆହୁରି କହିଥିଲେ ଯେ, ସରକାର ନିଜର ଗସ୍ତ, ଉତ୍ସବ ଓ ବିଜ୍ଞାପନରେ ଅର୍ଥ ଖର୍ଚ୍ଚ କରୁଛନ୍ତି, କିନ୍ତୁ ବିପନ୍ନଙ୍କ ପାଇଁ ସର୍ବନିମ୍ନ ସହାୟତା ଯୋଗାଇବାରେ ବିଫଳ। ବନ୍ୟା ପ୍ରଭାବିତ ଲୋକଙ୍କୁ ଅନ୍ତତଃ ତିନି ମାସ ପାଇଁ ମାଗଣା ସରକାରୀ ବସ୍ ଯାତ୍ରା ପାସ୍ ଦିଆଯାଉ। ନିକଟରେ ଘୋଷିତ ୨୮ ଲକ୍ଷ ଘର ଯୋଜନାରେ ଏହି ତିନି ଜିଲ୍ଲାର ଘର ହରାଇଥିବା ପରିବାରଙ୍କୁ ସାମିଲ କରିବା ପାଇଁ ତୁରନ୍ତ ସର୍ଭେ କରାଯାଉ।

ଭୂସ୍ଖଳନରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ଦିଆଯାଉ। ମାଟି ତଳେ ଆହୁରି ମୃତଦେହ ଥିବା ସନ୍ଦେହ ଥିବାରୁ ବନ୍ଦ ହୋଇଥିବା ଖୋଜାଖୋଜି ଅଭିଯାନ ପୁନର୍ବାର ଆରମ୍ଭ କରାଯାଉ, ଯାହାଦ୍ୱାରା ପରିବାର ସଦସ୍ୟମାନେ ନିଜ ଲୋକଙ୍କ ଶେଷକୃତ୍ୟ କରିପାରିବେ।

କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରାଥମିକ ଆକଳନ ଅନୁଯାୟୀ ୧୫ରୁ ୨୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାରୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରନ୍ତୁ। ଶେଷରେ ଡ଼. ପଟ୍ଟନାୟକ କହିଥିଲେ ଯେ, ଆଜି ବିରୋଧୀ ଦଳ ଭୂମିସ୍ତରରେ ଲୋକଙ୍କ ପାଖରେ ଥିବାବେଳେ ସରକାର ଭୂମିଗତ ହୋଇଯାଇଛନ୍ତି। ଏହା ରାଜନୀତି କରିବାର ସମୟ ନୁହେଁ, ବିପନ୍ନଙ୍କ ଜୀବନ ଓ ଜୀବିକା ବଞ୍ଚାଇବାର ସମୟ। ସରକାର ତୁରନ୍ତ ହସ୍ତକ୍ଷେପ କରି ଲୋକଙ୍କୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking