ରାଉରକେଲା: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମଙ୍ଗଳବାର ଦିନିକିଆ ସରକାରୀ ଗସ୍ତରେ ରାଉରକେଲା ଆସିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଏସ୍ପି ନିତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍ପି ଅମୃତ ପାଲ କୌର ଏବଂ କେନ୍ଦୁଝର ଏସ୍ପି ନିତିନ କୁସଲକରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ।ବୈଠକରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ଏହି ତିନିଟି ପୋଲିସ ଜିଲ୍ଲାର ଅପରାଧ ସ୍ଥିତି, ଅପରାଧ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ, ପୋଲିସର କାର୍ଯ୍ୟପ୍ରଣାଳୀ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଡିଜିପି ବିସ୍ତୃତ ସମୀକ୍ଷା କରିଥିଲେ। ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଓ ଅପରାଧ ରୋକିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଦିନା ଦସ୍ତଗୀରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।










