ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ସୁଦୃଶ୍ୟ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି ।ଏହାର ପ୍ରଭାବରେ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ପବନର ଝଟକା ୬୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି । ସେହିପରି ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ବର୍ଷା ହୋଇପାରେ ।ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଧାନ ଅମଳ ଜୋରସୋରରେ ଚାଲିଛି । ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣୁଥିବା ବେଳେ ପୁଣି ଲଘୁଚାପ ଓ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇଛି । ବିଶେଷ କରି ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାର ଚାଷୀମାନେ ପାଣିପାଗକୁ ନେଇ ଚିନ୍ତିତ ।










