29.1 C
Bhubaneswar
Sunday, November 8, 2026
Homeଓଡିଶାରାମ ମନ୍ଦିର ଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପାଇକ ଆଖଡ଼ା ପଟୁଆର, ସାମିଲ ହେଲେ ୬୦୦ରୁ...

ରାମ ମନ୍ଦିର ଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପାଇକ ଆଖଡ଼ା ପଟୁଆର, ସାମିଲ ହେଲେ ୬୦୦ରୁ ଉର୍ଦ୍ଧ୍ୱ ପାଇକ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ସମାରୋପ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାମ ମନ୍ଦିର ଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପାଇକ ଆଖଡ଼ାର ଏକ ଭବ୍ୟ ପଟୁଆର ଅନୁଷ୍ଠିତ ହୋଇଥିଲା। ଉକ୍ତ ପାଇକ ଆଖଡ଼ା ପଟୁଆରରେ ୬୦୦ରୁ ଉର୍ଦ୍ଧ୍ୱ ପାଇକ ସାମିଲ ହୋଇଥିଲେ। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପାଇକ ଆଖଡ଼ା ପଟୁଆରରେ ସଂସ୍କୃତି ମନ୍ତ୍ରୀ ନିଜେ ସାମିଲ ହୋଇ ରାମ ମନ୍ଦିର ଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ହେଉଛି ଆମର ସ୍ୱାଭିମାନ। ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ହୋଇଛି ଏବଂ ଏହା ଆଗାମୀ ଦେଢ଼ଶହ ଶତାବ୍ଦୀ ପର୍ଯ୍ୟନ୍ତ ମଧ୍ୟ ଉଜ୍ଜୀବିତ ହୋଇ ରହିବ। ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଗତ ଜାନୁଆରୀ ମାସ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ଅବସରରେ ଓଡ଼ିଶାର ୨୮ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ୨୯ ଲକ୍ଷ ଛାତ୍ରଛାତ୍ରୀ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରିଥିଲେ। ଆଜି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ବନ୍ଦେ ମାତରମ୍‌ର ଏକ ଉତ୍କଳୀୟ ସଂରଚନା ଦେଖିବାକୁ ହୋଇଛି। ୬୦୦ରୁ ଉର୍ଦ୍ଧ୍ୱ ପାଇକମାନେ ଶୋଭାଯାତ୍ରା କରି ଓଡ଼ିଶା ମାଟିର ବୀରତ୍ୱ ଓ ସମାରିକ କଳାକୁ ପ୍ରଦର୍ଶିତ କରିଛନ୍ତି। ବିଶେଷ ଭାବରେ ପାଇକ ଘରର ମହିଳାମାନେ ପାରମ୍ପରିକ ପୋଷାକ ପରିଧାନ କରି ନିଜର ସମାରିକ କଳାକୁ ଖୁବ୍ ସୁନ୍ଦର ଭାବେ ପ୍ରଦର୍ଶିତ କରିଛନ୍ତି। ସମସ୍ତ ପାଇକ ଭାଇ ଓ ଭଉଣୀମାନଙ୍କୁ ସାଧୁବାଦ ଜଣାଇବା ସହ ଆମ ଓଡ଼ିଆ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ସମସ୍ତେ ମିଳିମିଶି ନିରନ୍ତର ଭାବେ ନିଜର କାର୍ଯ୍ୟ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପାଇକ ସମାରିକ କଳାକୁ ବଞ୍ଚାଇ ରଖିବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ପାଇକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମରେ ଇଟିକିଲି ମିଟିକିଲି ସାଂସ୍କୃତିକ ଅନୁଷ୍ଠାନର ଶିଶୁ କଣ୍ଠଶିଳ୍ପୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ବନ୍ଦେ ମାତରମ୍ ଗାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବନ୍ଦେ ମାତରମ୍ ଉପରେ ଆଧାରିତ ଏକ ପୁସ୍ତକ ଲୋକାର୍ପିତ ହୋଇଥିଲା। ବନ୍ଦେ ମାତରମ୍‌କୁ ଆଧାର କରି ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିସହ ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ଆନନ୍ଦ ମଠ’କୁ ନେଇ ରବୀନ୍ଦ୍ର ମଣ୍ଡପ ଠାରେ ଏକ ନାଟକ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଡ଼. ପ୍ରକାଶ ଶ୍ରୀଚନ୍ଦନ, ଡ଼. ଶାନ୍ତୁନୁ ରଥ, ଶ୍ରୀ ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking