23.1 C
Bhubaneswar
Sunday, November 8, 2026
Homeଓଡିଶାପିସିସି ସଭାପତି ଭକ୍ତଙ୍କ ତିନିଦିନିଆ ଗଂଜାମ ଓ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ ଶେଷ

ପିସିସି ସଭାପତି ଭକ୍ତଙ୍କ ତିନିଦିନିଆ ଗଂଜାମ ଓ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ ଶେଷ

ବାଲି ମାଫିଆମାନେ ନଦୀ ଓ ସେଗୁଡ଼ିକର ତଟ/ମୁହାଣକୁ ଖିନ୍‌ଭିନ୍ କରିଦେଇଛନ୍ତି। ଆସ୍କା ସହରରେ ୧୦-୧୫ ଫୁଟ୍ ପାଣି ପଶିବାର ମୁଖ୍ୟ କାରଣ ଜାଆଡ଼ାଠାରେ ଋଷିକୂଲ୍ୟା ନଦୀର ମୁହାଣକୁ ନଷ୍ଟ କରିବା ମୁଖ୍ୟତଃ ଦାୟୀ’’ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଶନିବାର ପୂର୍ବାହ୍ନରେ ଗଜପତି ଗସ୍ତ ପୂର୍ବରୁ ଛତ୍ରପୁରଠାରେ ଗଂଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୂର୍ବ ଦୁଇଦିନର ଅଭିଜ୍ଞତା ବାଣ୍ଟିବା ପରେ ସାମ୍ବାଦିକମାନଙ୍କୁ ଶ୍ରୀ ଦାସ କହିଛନ୍ତି, ଋଷିକୂଲ୍ୟାରେ ପୂର୍ବରୁ ମଧ୍ୟ କେତେଥର ବନ୍ୟା ଆସିଛି। କିନ୍ତୁ ଏ ଥରର ବିଭୀଷିକା ପୂର୍ବ ସବୁ ଥରକୁ ଟପିଗଲା। ପରିସ୍ଥିତି ଏପରି ହୋଇଛି, ଋଷିକୂଲ୍ୟା ନଦୀର ଘାଇ ଭାଙ୍ଗିଥିବା ସ୍ଥାନରେ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଭଲଭାବେ କାମ ନ କଲେ ଆଗକୁ ବଡ଼ ବର୍ଷା ହେଲେ ଆହୁରି ବିପଦ ସୃଷ୍ଟି ହେବ। ତେବେ ଋଷିକୂଲ୍ୟା ପାଇଁ ମାଷ୍ଟରପ୍ଲାନ ଦିଗରେ କେହି ଆଗ୍ରହ ନ ନେବା ପରିତାପର ବିଷୟ ବୋଲି ସେ କହିଛନ୍ତି।

ଆସ୍କା ସହରର ବନ୍ୟା ମଧ୍ୟ ମନୁଷ୍ୟକୃତ ବୋଲି ଦର୍ଶାଇ ଶ୍ରୀ ଦାସ କହିଛନ୍ତି, ଏଥିପାଇଁ ଉଭୟ ରାଜସ୍ବ ବିଭାଗ ଓ ପୌରପରିଷଦ ଦାୟୀ। ସହର ମଧ୍ୟରେ ରହିଥିବା ନଳା ଆଦି ଯଦି ଜବରଦଖଲକାରୀଙ୍କ କବଜାରେ ନ ଥା’ନ୍ତା, କିଛି ପାଣି ନିଷ୍କାସନ ହୋଇପାରିଥା’ନ୍ତା। କେବଳ ଆସ୍କା ସହରରେ ଆନୁମାନିକ ୫ ଶହ କୋଟିର କ୍ଷୟକ୍ଷତି ହୋଇଥିବା ବେଳେ ସମଗ୍ର ଗଂଜାମ ଜିଲ୍ଲା ପାଇଁ ମାତ୍ର ପାଖାପାଖି ୨୬ ଶହ କୋଟିର ସହାୟତା କେନ୍ଦ୍ରକୁ ରାଜ୍ୟ ମାଗିବା କି ପ୍ରକାର ବିପର୍ଯ୍ୟୟ ପରିଚାଳନା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ‘ଦୋକାନଗୁଡ଼ିକ ତିନିଦିନ ପାଣିରେ ବୁଡ଼ିରହିବା ପରେ ବ୍ୟବସାୟୀମାନେ ବହୁମୂଲ୍ୟ ସାମଗ୍ରୀକୁ ଶାଗମାଛ ଦରରେ ବିକ୍ରି କରିଦେଉଥିବାର ଦୃଶ୍ୟ ଆମେ ସ୍ବଚକ୍ଷୁରେ ଦେଖିଥିଲୁ’ ବୋଲି ସେ କହିଥିଲେ।

ଋଷିକୂଲ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ମାଷ୍ଟରପ୍ଲାନ ଜରୁରି। ଆଗକୁ ଗଂଜାମକୁ ଅନୁରୂପ ବନ୍ୟାରୁ ବଂଚାଇବାକୁ ହେଲେ ବାଲି ଓ ପଟୁମାଟି ଉଦ୍ଧାର, ମୁହାଣ ନିର୍ମାଣ, ବୃକ୍ଷରୋପଣ ଆଦି କାର୍ଯ୍ୟ ପାଇଁ ବିଶେଷଜ୍ଞମାନଙ୍କୁ ନେଇ ତୁରନ୍ତ ଏ ଦିଗରେ ସରକାର କାମ ଆରମ୍ଭ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଆନୁମାନିକ ଅତିରିକ୍ତ ୨ ହଜାର କୋଟିର ବ୍ୟବସ୍ଥା କରି ଋଷିକୂଲ୍ୟା ପାଇଁ ସ୍ଥାୟୀ ଯୋଜନା କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ।

ଗଂଜାମ ଜିଲ୍ଲାରେ ମୋଟ ୫ ଲକ୍ଷ ଏକର ଜମିର ଫସଲ ନଷ୍ଟ ହୋଇଯାଇଥିବା ବେଳେ ସରକାର ମାତ୍ର ୭୪ ହଜାର ଏକରର ହିସାବ କରୁଛନ୍ତି। ଅନ୍ୟ ପକ୍ଷରେ ଏକର ପିଛା ଅଣଜଳସେଚିତ ଜମିରେ ୧୮-୨୦ କ୍ବିଣ୍ଟାଲ ଓ ଜଳସେଚିତ ଜମିରେ ୨୫-୩୦ କ୍ବିଣ୍ଟାଲ ଧାନ ଅମଳ ହିସାବକୁ ନେଲେ ଏମଏସପି ଅନୁସାରେ ଚାଷୀକୁ ଯଥାକ୍ରମେ ଦେଢ଼ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ମାତ୍ର ୧୧ ଓ ୨୨ ହଜାର ଟଙ୍କାର ସହାୟତା ଘୋଷଣା ‘କଟା ଘା’ରେ ଚୂନ’ ନୁହେଁ ତ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଖଣିରୁ ଶିଳ୍ପପତିମାନଙ୍କଠାରୁ ପାଇବାକୁ ଥିବା ଲକ୍ଷେ ଦଶ ହଜାର କୋଟିର ଟିକସ ଆଦୌ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଉଥିବା ବେଳେ ତଥା ବର୍ଷକୁ ୧୨-୧୭ ହଜାର କୋଟିର ରାଜସ୍ବ ହରାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ନଦାତାଙ୍କ ଦୁର୍ଗତି ବେଳେ ହାତ ଖୋଲୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଅମଳ ହିସାବର ଅନ୍ୟୁନ ୫୦ ପ୍ରତିଶତ ସହାୟତା ସରକାର ତୁରନ୍ତ ଚାଷୀମାନଙ୍କୁ ଯୋଗାଇଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଗଜପତି ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସରକାର ଆଦୌ ସେ ବିଷୟରେ ଚିନ୍ତିତ ନୁହନ୍ତି। ଲକ୍ଷ୍ମୀପୁର ପଂଚାୟତର ତିତିଲି ଗ୍ରାମ ପରିଦର୍ଶନ ଶେଷରେ ଗଣମାଧ୍ୟମକୁ ଶ୍ରୀ ଦାସ କହିଥିଲେ, ଗଜପତିରେ ବିଭିନ୍ନ ଶସ୍ୟସହ ମକାଚାଷ ପୂରା ନଷ୍ଟ ହୋଇଯାଇଛି। ଅର୍ଣ୍ଣବ ପ୍ରଭାବରେ ପ୍ରେମାନିଧି ଗମାଙ୍ଗ ମଧ୍ୟ ନଦୀରେ ଭାସିଯାଇଥିଲେ। ତାଙ୍କ ପରିବାରକୁ ୪ ଲକ୍ଷରୁ ମାତ୍ର ୪୦ ହଜାର ଟଙ୍କା ମିଳିଛି। ଅର୍ଣ୍ଣବ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ଅତି କମ୍‌ରେ ୨୦ ଲକ୍ଷ ଟଙ୍କା ଦେବାକୁ ପିସିସି ପକ୍ଷରୁ ଆମେ ଦାବି କରୁଛୁ ବୋଲି ସେ କହିଥିଲେ। ମୋହନା ପଂଚାୟତର ଅବସ୍ଥା ମଧ୍ୟ ସାଂଘାତିକ ବୋଲି ଦର୍ଶାଇ ଶ୍ରୀ ଦାସ କହିଥିଲେ, ସରକାର ଏତେ ସ୍ଥାନକୁ ପୌରାଂଚଳ ଘୋଷଣା କଲେ, ଅଥଚ ମୋହନା ଉପରେ ଶୁଭଦୃଷ୍ଟି ପଡ଼ିଲା ନାହିଁ। ମୋହନାବାସୀଙ୍କୁ ପ୍ରଦୂଷିତ ଜଳଯୋଗାଣ ବିଷୟରେ ଶ୍ରୀ ଦାସ କହିଥିଲେ, ଏଠାରେ ଏକ ଜଳ ବିଶୋଧନାଗାର କିମ୍ବା ଗଭୀର ନଳକୂପ ଦ୍ବାରା ବିଶୁଦ୍ଧ ପାନୀୟ ଜଳଯୋଗାଣ ଜରୁରି। ଗଂଜାମ, ଗଜପତି ଓ କନ୍ଧମାଳ ସମେତ ଯେଉଁ ଜିଲ୍ଲାଗୁଡ଼ିକରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ ଦେଖିବାକୁ ମିଳିଛି, ସେ ସବୁ ଜିଲ୍ଲାରେ ତୁରନ୍ତ ସହାୟତା ଯୋଗାଇବାକୁ ଶ୍ରୀ ଦାସ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ବନ୍ୟାଂଚଳ ପରିଦର୍ଶନରେ ଆସୁଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ‘‘ଉଭୟ ଆସନ୍ତୁ, କିନ୍ତୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କର ଆନ୍ତରିକତା ରହୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking