ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼. ସୁଧାଂଶୁ ତ୍ରିବେଦୀ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିବେ । ଡ଼.ତ୍ରିବେଦୀଙ୍କର ଗଭୀର ଇତିହାସ ଜ୍ଞାନ, ଭାରତୀୟ ସଂସ୍କୃତି ଏବଂ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ସ୍ପଷ୍ଟ ଓ ଓଜସ୍ୱିନୀ ବକ୍ତବ୍ୟ ସମଗ୍ର ଦେଶରେ ଅତ୍ୟନ୍ତ ଆଦୃତ । ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଦଳୀୟ ପକ୍ଷ ରଖିବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି ।
ଶ୍ରୀ ରାୟ କହିଛନ୍ତି ଯେ, ଏହି ଗସ୍ତ ଅବସରରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ମଧ୍ୟାହ୍ନ ୧୨.୦୫ ଘଟିକାରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଉପସ୍ଥିତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଏହାପରେ ଡ଼.ତ୍ରିବେଦୀ କଟକ ଗସ୍ତ କରି ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଥିବା କଲେଜ ଛକଠାରୁ ଦୋଳମୁଣ୍ଡାଇ ଛକ ପର୍ଯ୍ୟନ୍ତ “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ ଅଭିଯାନ” ପଦଯାତ୍ରାରେ ସାମିଲ ହେବେ। କଲେଜ ଛକଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଏହି ପଦଯାତ୍ରା ଆରମ୍ଭ ହେବ । ଏଥିରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ସମେତ କଟକର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହେବେ । ସେମାନଙ୍କ ସହ ଦଳର ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫.୩୦ ଘଟିକାରେ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମ୍ଠାରେ ରାଷ୍ଟ୍ରଚିନ୍ତନ ଓ ଦେଶର ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହେବାକୁ ଥିବା ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ ଓ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।










