ଭୁବନେଶ୍ୱର: (ଡ. ଅରୁଣ କୁମାର ସାହୁ) ପତ୍ର ମାନେ ଧୀରେ ଧୀରେ ହଲିବାକୁ ଲାଗିଲେ, ପତ୍ର ଆଉ ଡାଳ ମାନେ ଯେତେବେଳେ ଧୀରେ ଧୀରେ ଦୋହଲନ୍ତି ପବନର ତାଳେ ତାଳେ-ଆନନ୍ଦିତ ହୁଏ ପରିବେଶ । ଗଛମାନେ ଖୁସି ହୁଅନ୍ତି …..।
ମନ୍ଥର ଗତି- ଚଇତାଳି ପବନର ଧାରଣା ସୃଷ୍ଟି କରେ … । ସ୍ଵାଭାବିକ ଆନନ୍ଦ ମିଳେ..।
ପବନର ଗତି ବଢ଼ିଲା-
ଡାଳ ମାନେ ନଇଁ ପଡ଼ି ଉପରକୁ ଉଠି ଦୋଳି ଖେଳିବା ଭଳି ଲାଗିଲେ – ।
କିଛି କ୍ଷଣ ପୂର୍ବରୁ ପବନର ଲହରି ବାତ୍ୟାର ଆଶଙ୍କାରେ ରୂପାନ୍ତରିତ ହେଲା ।
ଦୋଳି ଉପରକୁ ଉଡ଼ିଲେ ଯେମିତି ଛାତିରେ ଛାନିଆ ପଶେ…. ଠିକ୍ ସେମିତି ବେଳକୁ ବେଳ ଗତି ବଢ଼ିଲା … ଦୁର୍ବଳ ପତ୍ରମାନେ କର ଛଡ଼ା ଦେଇ ଆକାଶରେ ଉଡ଼ିବାରେ ଲାଗିଲେ । ଦଲକାଏ ଜୋର ପବନରେ – ଗଛର ସର୍ବାଙ୍ଗ ଥରି ଉଠିଲା – । ନୂଆ ଅନୁଭୂତିରେ ଅଘଟଣ ଆଶଙ୍କାରେ ନୀରବ ଚିତ୍କାର ସବୁ ପବନର ଘୁ ଘୁ ଶଦ୍ଦରେ ମିଳେଇଗଲା ….. । ମଡ଼ ମଡ଼ ଶଦ୍ଦରେ ଡାଳ ଲେଉଟି ଖାଇଲା. ତଳେ ମାଡ଼ି ହୋଇପଡ଼ିଲା – । ଆଗରୁ କେବେ କେବେ ପତ୍ର ଝଡ଼ୁଥିଲା – ଆଜି ଡାଳ କଚାଡ଼ି ହୋଇପଡ଼ୁଛି ପୁଣି କାହାର ଅଣଚାଶ ମାଡ଼ରେ …. । ତଳେ ପଡ଼ି ମୁହଁ ଟେକି ଚାହିଁଲା- ବିଛିନ୍ନ ହୋଇଥିବା ତା ମୂଳ ପିଣ୍ଡ ଆଡ଼କୁ … । ସତେ ଯେମିତି ମଦମତ୍ତ ମଣିଷର ଟଳମଳ ଅବସ୍ଥାଠାରୁ ଆହୁରି ସଙ୍ଗୀନ ସ୍ଥିତି । ସର୍ବାଙ୍ଗ ନଇଁ ଆସୁଛି – ପୁଣି ସମସ୍ତ ଶକ୍ତି ଖଟେଇ ଠିଆ ହୋଇଯାଉଛି ।
ପବନ ବାତ୍ୟାର ରୂପ ନେଇ ସାରିଛି – । ଭୟଙ୍କର ଶଦ୍ଦ ସହ ପ୍ରଳୟର ଅସ୍ତ୍ରରେ ସଜ୍ଜିତ ହୋଇଛି । ନିଶେଷ କରିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି।
ସୁ ସୁ ଘୁ ଘୁ ଶଦ୍ଦରେ କାନ ଅତଡ଼ା ପଡ଼ୁଛି । ଗତି ଆହୁରି ପ୍ରଖର ହେଉଛି । କେତେବେଳେ ଊର୍ଦ୍ଧ୍ଵମୁଖୀ ତ କେତେବେଳେ ନିମ୍ନମୁଖୀ, କେତେବେଳେ ଉତ୍ତରକୁ ତ କେତେବେଳେ ପଶ୍ଚିମକୁ – । ବିନା ଆମନ୍ତ୍ରଣରେ କାହିଁକି ଆକ୍ରୋଶ ! କାହିଁକି ଦାଉ ସାଧୁଛି !
ଗଛଟି ପ୍ରତିରୋଧ କରିବାର ଅଦମ୍ୟ ଚେଷ୍ଟା କରୁ କରୁ କେତେକେତେ ଭାବନା ତା ମନ ଭିତରେ ଚହଟି ଯାଉଥାଏ – । ମୁକ୍ତ ଆକାଶ ତଳେ ମଥା ଟେକି ଠିଆ ହୋଇଥାଏ – । ମୋର ଘର ନାହିଁ । ଆକାଶର ଛାତ ତଳେ ମାଟିକୁ ଜଡ଼େଇ ଧରି ସଦର୍ପରେ ବିନା ଭୟଭ୍ରାନ୍ତିରେ ଠିଆ ହୋଇଥାଏ ।
ବର୍ଷାରେ ଭିଜେ – ଖରାରେ ସିଝେ – ଥଣ୍ଡା କାକରର ଶିଶିର ବିନ୍ଦୁ ଦେହ ସହେ । ମୋ’ର ଘର କ’ଣ ହେବ – ? ମୁଁ ଗୋଟିଏ ଘର । ମୋ ଉପରେ ପକ୍ଷୀ ବସା କରେ । ମୋ ଉପରେ କୀଟ ପତଙ୍ଗ ଆରାମରେ ଦିନ କାଟନ୍ତି – ସେମାନଙ୍କର ଅଭୟ ଆଶ୍ରୟସ୍ଥଳୀ । ମୁଁ ସେମାନଙ୍କର ଅତି ଆପଣାର ।
ମୋ ପତ୍ର ବି ଖାଆନ୍ତି, ଫଳ ବି ଖାଆନ୍ତି । ମୋ’ ଠାରୁ ନିର୍ଗତ ଅମ୍ଳଜାନରେ ବଞ୍ଚନ୍ତି । ପ୍ରକୃତିର ସନ୍ତୁଳନରେ ମୋ ଅବଦାନ ଅନସ୍ଵୀକାର୍ଯ୍ୟ । ସବୁଜିମାର ସୌନ୍ଦର୍ଯ୍ୟରେ – ପ୍ରକୃତି ପ୍ରେମୀ ବିମୋହିତ । ଛାଇର ଶୀତଳତା – ସମସ୍ତଙ୍କୁ ସୁଖ ଦିଏ । ଆହୁରି ଏମିତି କେତେ କ’ଣ …. ।
ପୁଣି ଆଉ ଏକ ଜୋର ଧକ୍କାରେ ଆଉଜି ପଡ଼ିଲା – ।
ଶେଷ ଚେଷ୍ଟା ମାଟିକୁ କାମୁଡ଼ି ଧରିବାକୁ । ଯେଉଁ ମାଟି ମା’ କୋଳରୁ – ପେଟ ଚିରି ଠିଆ ହୋଇଥିଲା – ଜାବୁଡ଼ି ଧରିବାକୁ ଶତ ପ୍ରୟାସ ।
ପୁଣି ଠିଆ ହୋଇଗଲା । ଆକାଶର ପଣତକାନି ତଳେ ନିର୍ବିଘ୍ନରେ ଖରା, ବର୍ଷା, ଶୀତ ସହି ଏତେ ଦିନ ଠିଆ ହୋଇଥିଲା – ତାକୁ ଅନେଇଲା । ପଣତକାନି ଲୁଚି ଯାଇଥିଲା । ଲୁଚି ଯାଇଥିଲା, କଳା ବାଦଲ ଭର୍ତ୍ତି ମେଘ ଉହାଡ଼ ସେପାରିରେ ।
ଯିଏ ଥିଲା, ସବୁ ଶକ୍ତିର ପ୍ରେରଣାର ଉତ୍ସ – ତା’ ନିବିଡ଼ ସମ୍ପର୍କ ମଝିରେ ପ୍ରାଚୀର ହୋଇ ଠିଆ ହୋଇଯାଉଛି, କଳା ଘୁଙ୍ଗୁର ମେଘ ଖଣ୍ଡ ମାନ ।
ନିସ୍ତେଜରେ ହତାଶ ହୋଇପଡ଼ିଲା ।
ଅଣଚାଶ ଆଗରେ ହାର ମାନୁଛି ଶତ ପ୍ରତିଶତ ପ୍ରୟାସ ।
ଯା’ର ହାଡ଼ ମଜବୁତ ହେଇଛି ପ୍ରକୃତିର ସବୁ ଉପଚାରରେ-ଖରା, ବର୍ଷା, ଶୀତ, କାକରରେ- ସିଏ ଆଜି ପ୍ରାକୃତିକ ଦୁର୍ବିପାକର ଶୀକାର ହେଉଛି ।
ପ୍ରକୃତିର ଚରମ ସୁନ୍ଦର ସୃଷ୍ଟି – ପ୍ରକୃତିର କ୍ରୁର ପାହାରରେ ଧରାଶାୟୀ ହେଇଛି – । ମାଟି ମା’ର ପେଟ ଫଟେଇ ଲମ୍ବ ହେଇ ଲୋଟିଗଲା – ମାଟି ମା’ର ଛାତି ଉପରେ …. ।
କେତେ କିଏ ବେସାହାରା ହୋଇଗଲେ – । ଖୋଜିବେ ଆଉ କୋଉ ଘର । ଆଉ କୋଉ ଠିକଣା ।
ଭୁଲି ଯିବେ ମାଟିରେ ଠିଆ ହୋଇ ଆଶ୍ରୟ ଦେଇଥିବା – ତା’ ପରେ ମାଟି ଉପରେ ବେସାହାରା ହୋଇ ଲୋଟି ପଡ଼ିଥିବା ଦ୍ରୁମଟିକୁ । କିଛି ଦିନ ତାଜା ରହିବ ସ୍ମୃତିରେ – ।
ଧୀରେ ଧୀରେ ଝାପସା ହେବ ସ୍ମରଣରେ … ।
ବାତ୍ୟା ଗଲେ ପରେ । ଗତକାଲି, ଆଉ କେତେ କାଲି ପରି ଅସ୍ଥିର ନଥିବ ସେଦିନ ଭଳି । ଯଦିବା ସବୁ ସ୍ଥିର ହୋଇଯାଇଥିବ – ତଥାପି ବାତ୍ୟା ଘନିଭୂତ ହଉଥିବ ସବୁ ଦିନ – ଯେବେ ନଜର ପଡ଼ୁଥିବ – କାଲି ଯିଏ ଥିଲେ, ଆଜି ସିଏ ନାହାନ୍ତି ସେଇଠାରେ ବୋଲି – ।
ବାତ୍ୟା କେବେ କେବେ ଆସେ ଆଉ ଯାଏ – ।
ସେ କିଛି ନେଇଯାଏ ନା ଛାଡ଼ି ଦେଇଯାଏ ?
ଏ ପ୍ରଶ୍ନ ମୋ ଭିତରେ ତାଜା ହୋଇ ରହିଥିବ ଅନନ୍ତ କାଳ ଯାଏ … ।
ବାତ୍ୟା ଗଲା ପରେ … ।
ବାତ୍ୟାର ତାଣ୍ଡବରେ ଛାଡ଼ି ଯାଇଥିବା – ବିପର୍ଯ୍ୟସ୍ତ ଅସଜଡ଼ା ରାସ୍ତାଘାଟ, ଶିରି ଛଡ଼ା ଅଭାବନୀୟ ଦୃଶ୍ୟ, ଆଉଟା ଆଲୁଳାୟିତ କେଶ ରାଶି ଭଳି – ସବୁକିଛି ଅସ୍ତବ୍ୟସ୍ତ ଅବ୍ୟବସ୍ଥିତ ଦୁରବସ୍ଥା । ତା ଭିତରେ କିଏ ସଜାଡ଼ିବାରେ ଲାଗିଛି ତା’ର ଉଜୁଡ଼ା ଦୁନିଆକୁ ।
କିଏ ସାଇତିବାରେ ଲାଗିଛି – ତା ଚାରିପାଖରେ ଅପ୍ରତ୍ୟାଶିତ ଅଘଟଣ ମାନଙ୍କୁ ।
ଦୁଃଖ କାତର ଭିତରେ କାନ ଡେରି ଶୁଣୁଛି ଅନ୍ୟମାନଙ୍କର ଆଲୋଚନାକୁ । ମଝିରେ ମଝିରେ ଭାଗ ନେଉଛି ଯାହା ଦେଖିଛି ଯାହା ଶୁଣିଛି । ହଜିଥିବା, ହଜେଇଥିବା ଭିତରେ ଯିଏ ଦୁଇ ପଦ ଅଧିକା କୁହେ – କିଛି ଅଧିକା ଜାଣିଛି ବୋଲି, ସେଥିରେ ସେ ଆନନ୍ଦିତ ହୁଏ – ।
ଦୁଃଖ ଭିତରେ ବି ସୁଖ ପାଏ । ଯନ୍ତ୍ରଣା ଉପଶମ ହୁଏ । ଦୁଃଖ ବଖାଣିବା ଉପଶମର ବଡ଼ ଉପଚାର ।
ସିଏ ଯେବେ ସହରକୁ ଆସିଥିଲା କାହିଁ କେତେ ବର୍ଷ ତଳୁ – ଏଠି ସେଠି ରହୁ ରହୁ ଜାଗା ଖଣ୍ଡେ ଆଦରି ଥିଲା । ପଲିଥିନ ତଳେ ଜୀବନ ବିତଉଥିଲା । ଧୀରେ ଧୀରେ ଇଟାର କାନ୍ଥ ଦେଲା, ଆଉ ଟିଣ କେଇ ଖଣ୍ଡେ ଖଞ୍ଜି ଦେଇ ତା’ରି ତଳେ ପରିବାର ସହ ଦିନ ବିତେଇବାରେ ଲାଗିଲା । ସିଏ ବାହାରେ କାମ କରେ ଆଉ ତା ସ୍ତ୍ରୀ ବାବୁ ବାବୁଆଣି ମାନଙ୍କ ଘରେ ଲୁଗା ସଫା କରେ , ବାସନ ମାଜେ, ଓଳାଓଳି କରେ । ତା’ସାଥୀରେ ଛୋଟମୋଟ କାମ ପଡ଼ିଲେ କରେ ।
ଦୁଇ ତିନୋଟି ଘରେ କାମ କଲେ ଭଲ ରୋଜଗାର ମଧ୍ୟ ହୁଏ । ପୁରୁଷ ଅପେକ୍ଷା ବରଂ ତା’ର ରୋଜଗାର ଭଲ ।
ମାସ ଶେଷକୁ ଅନେଇ ଥାଆନ୍ତି – କେତେ ଶୀଘ୍ର କ୍ୟାଲେଣ୍ଡର (Calendar)ର ଗୋଟିଏ ପୃଷ୍ଠା ଛିଣ୍ଡି ଯାଆନ୍ତି କି, ଯେତେ ଜଲଦି ହେବ – ଦୁଇ ପଇସା ଘରକୁ ଆସିବ ।
ସୂର୍ଯ୍ୟୋଦୟରେ ସକାଳ ହୁଏ ସିନା କିନ୍ତୁ ତା’ର ସକାଳ ତା ବହୁ ପୂର୍ବରୁ ହୁଏ । ଯାହା ଘରକୁ କାମ କରିବାକୁ ଯାଏ ତାଙ୍କ ସକାଳ ହେବାକୁ ବହୁତ ଡେରି ଥାଏ। ୟା ହାତର ଯାଦୁରେ ତାଙ୍କ ଅଇଁଠା ବାସନ ନିଜକୁ ସଜେଇ ନେଇଥାନ୍ତି । ଘର ଭିତରର ଅଳିଆ ବାହାରେ ମୁନିସପାଲିଟି(Municipality )ର ଗାଡ଼ିକୁ ଅପେକ୍ଷା କରିଥାନ୍ତି ।
ଇଏ ଯେଉଁମାନଙ୍କ ଘରେ କାମ କରେ – , ସେମାନଙ୍କୁ ନିତିଦିନ ଦେଖେ – ତାଙ୍କର ବଡ଼ ପଣିଆ, ଅନେକ ପ୍ରକାର ଖାଦ୍ୟ, ଅଇଁଠା ବାସନରେ କିଛି କିଛି ବଳିଥିବାର ମଧ୍ୟ । ତା’ ଘରେ ନିଇତି ଗୋଟିଏ ପ୍ରକାର ଖାଦ୍ୟ – ଭାତ ଡାଲି କିମ୍ବା ପଖାଳ ଭାତ ସାଥିରେ – ଆଳୁ ଲଙ୍କା ଲୁଣ ସାଥିରେ ଅତି ବେଶୀରେ ଗୋଟିଏ ତରକାରି । ଏମିତି ସୁନ୍ଦରିଆ ଖାଦ୍ୟ ସବୁ ଦେଖିବା ପରେ ତା ଭିତରେ କ’ଣ କିଛି ପ୍ରତିକ୍ରିୟା ହୁଏ ନାହିଁ ?
ଯଦି ହୁଏ, ଉପାୟ ତ ନାହିଁ । କିନ୍ତୁ ପ୍ରତିକ୍ରିୟାକୁ ଦମନ କରିବାର କଳା – ଏଇମାନଙ୍କ ଠାରୁ ସେଇମାନେ ଶିଖିବା କଥା । ଏଇମାନେ ଜାଣନ୍ତି ଏମାନଙ୍କର ସୀମା ସରହଦ – ଏଇମାନେ ମାପି ପାରନ୍ତି ସେମାନଙ୍କ ପାଦ କେତେ ବାଟ ଯାଇପାରିବ ।
ଏଇମାନେ ଜାଣନ୍ତି – ଇଚ୍ଛାମାନଙ୍କୁ ଆୟତରେ ରଖିବାର ସୂକ୍ଷ୍ମ ସାଧନା ।
ଆଉ ସେଇମାନେ – ଦୂରତ୍ଵ ମାପି ପାରନ୍ତି କିନ୍ତୁ ଦୂରତ୍ଵ ଲଂଘିବାର ଦୁର୍ବାର ବାସ୍ନା-ସାହସର ସହ ନୁହେଁ ବରଂ ଫନ୍ଦି ଫିକର କରି, ଶ୍ରମ କରି ନୁହେଁ ବରଂ ଅଳ୍ପ ଚେଷ୍ଟାରେ ଶୀଘ୍ର ପାଇବାର ପ୍ରକ୍ରିୟା ଆପଣେଇ … ।
କେବେ ବି ଥରେ ଭାବି ଥିବେ … ? ଆମେ ଖାଇବାର ମଜା ନେଉଥିବା ସମୟର – ଅଇଁଠା ବାସନ ମାଜୁଥିବା ମଣିଷର କ୍ରିୟା ପ୍ରତିକ୍ରିୟା ଆଉ ଭାବନା ସମ୍ପର୍କରେ … ? କେବେ ବି ଥରେ ଭାବିଥିବେ ? ବରଂ ଦଶହରା ବା କେଉଁ Occasionରେ ଯଦି ପୁରୁଣା ଲୁଗା ଖଣ୍ଡେ କି ବକସିସ୍ କିଛି ଦେଇଥିବେ ହିସାବ ଖାତାରେ ଯେମିତି ବଡ଼ ଭାଗଟିଏ ଅଜାଡ଼ି ଦେଇଥିବା ଗର୍ବ ବୋଧରେ ଫାଟି ପଡ଼ୁଥିବେ । ଏମିତି ସମସ୍ତେ ନୁହନ୍ତି – ତା ଭିତରେ କେହି କେହି ଭଲ ମଣିଷ ଅଛନ୍ତି । ସେମାନଙ୍କ ସଂଖ୍ୟା ହୁଏତ ଏମାନଙ୍କ ଅପେକ୍ଷା କମ୍ । କିନ୍ତୁ ଅଛନ୍ତି … ।
ଯେବେଠୁ ସିଏ ସହରରେ ଘର କରିଥିଲା – ସେବେଠୁ ଘର ପାଖରେ ଗୋଟିଏ ଆମ୍ବ ଗଛ ଓ ପଣସ ଗଛଟିଏ ଠିଆ ହୋଇଥିଲା। ସେଇ ଗଛ ତା’ର ନୁହେଁ – ବରଂ ସେଥିରେ ଯେଉଁ ଆମ୍ବ ଫଳେ- ସିଏ ତୋଳି ଦିଏ – ଯେଉଁ ବାବୁଙ୍କ ବାଡ଼ିରେ ଅଛି – ଯାହାଙ୍କର କୋଠା ଘର ଅଛି- ତାଙ୍କ ପାଇଁ ।
ଖରା ଦିନେ ତା ଘର ଥଣ୍ଡା ଲାଗେ – କାରଣ ଗଛ ଛାଇ ଯୋଗୁଁ- । ଗଛ ତା’ର ନୁହେଁ କିନ୍ତୁ ତାକୁ ବଡ଼ ଆପଣାର ଲାଗେ- ସତେ ଯେମିତି ତା’ର ନିଜର କେହି ।
ବାତ୍ୟା ଆସିବ । ଏଇ ବାଟେ ଯିବ । ଘର ଖାଲି କର । ସ୍କୁଲ ଘର, କୋଠା ଘର ଦେଖି ଆଶ୍ରୟ ନିଅ । ବାରମ୍ବାର ଘୋଷଣା । କେତେ କିଏ ବୁଲି ବୁଲି କହି ଦେଇଗଲେଣି ଘର ଛାଡ଼ି ନିରାପଦ ଜାଗାକୁ ଯିବାକୁ ପଡ଼ିବ – ତାହା ସତ୍ୟ । କିନ୍ତୁ ତା’ର ଆତ୍ମାର ବଖୁରିଏ ଘର । ତା ପାଇଁ କେତେ ବଡ଼ । ସେ କଥା ସିଏ ହିଁ ଜାଣେ । କାରଣ ତା ପେଟରୁ କାଟି କାଟି ଏ ଘର ସିଏ ବନେଇଛି । ଏଇତକ ପାଇଁ ସେ କେମିତି ଯୋଗାଡ଼ କରିଛି ତାକୁ ହିଁ ଜଣା ।
ତା ହାତରେ ସିଏ ଅନ୍ୟର ବଡ଼ ବଡ଼ ଘର ସିନା କରି ଦେଇଛି । ସେଥିପାଇଁ ତା’ର କେବେ ଲୋଭ ନାହିଁ । ବରଂ ସେଇ ଘର ମାନଙ୍କରେ କାମ କରି ତା’ର ଏହି ଘରକୁ ଫେରି ଆସିଲେ – ସିଏ ଚରମ ତୃପ୍ତିର ଅନନ୍ତ ସୁଖରେ ଲୋଟିପଡ଼େ । ଆପେ ଆପେ ଗାଢ଼ ନିଦ ଆସିଯାଏ । କେବେ ଯାଇ ଡାକ୍ତରଙ୍କୁ ପଚାରି ନାହିଁ ମୋତ ନିଦ କାହିଁକି ହେଉନି ?
ଅନ୍ୟର ଖଟ ଆଉ ଗଦିର ଦାମ୍ ଠାରୁ ତା’ ସମ୍ପୂର୍ଣ୍ଣ ଘରର ଦାମ୍ ମଧ୍ୟ କମ୍ ପଡ଼ିବ।
ତଥାପି ଆରାମର ନିଦ —– ।
ଆଜି ତା ଆଖିରେ ନିଦ ନାହିଁ ।
କାଲି ବାତ୍ୟା ଆସିବ —– । ଘର ରହିବ ଟି — ? ଛପର ଉଡ଼େଇ ନେବ … । ଭୟ ଘାରୁଛି । ୧୫ ବର୍ଷ ତଳେ ଯୁଆନ ଥିଲି । ବଳ ଭାଗୁଛି – ବୟସ ବଢ଼ୁଛି, ଏବେ ଘର ଭାଙ୍ଗିଗଲେ ଆଉ ପାରିବି ଟି ?
ଯୋଉଠୁ ଆସିଥିଲି – ସେଠି ଆଉ କିଛି ନାହିଁ । ଏବେ ଯୋଉଠି ଅଛି ଯଦିବା ମୋର କିଛି ନୁହେଁ – ସବୁ ମୋର ଏଇଠି ଅଛି । ଗତକାଲି – ଆଜି – ଭବିଷ୍ୟତ । ଛୁଆ ଦିଇଟା ବଡ଼ ହେଲେଣି । ସେମାନଙ୍କ (ବଡ଼ ବାବୁ)ଙ୍କ ଭଳି ହେବାକୁ ଭାବୁଛନ୍ତି ।
ଯେତିକି ନେଇ ହେବ – ସେତିକି ଧରି ସରକାର ଠିକ୍ କରିଥିବା ଆଶ୍ରୟ ସ୍ଥଳିକୁ ଚାଲିଲେ ।
ସରକାରୀ ରନ୍ଧା ଖାଦ୍ୟ ଖାଇ ଅନାଗତ – ନିଶ୍ଚିତ ବାତ୍ୟାର ଆଗମନକୁ – ଅଜସ୍ର ଭାବନା ଭିତରେ ଅନେଇ ରହିଲେ —- ।
ପ୍ରକୃତି ପ୍ରଳୟ କରୁଛି — । ନିଜେ ନିଜକୁ ଧ୍ଵଂସ କରୁଛି ।
ପ୍ରକୃତି ଦାଉ ସାଧୁଛି, ତା ନିଜ ଉପରେ । ନିଜର ସୌନ୍ଦର୍ଯ୍ୟକୁ ନିଜେ ରାମ୍ପୁଡ଼ିବିଦାରି ଛାରଖାର କରୁଛି ।
ନିଜ ମାଂସ ନିଜେ ଖାଉଛି –
ନିଜ ରକ୍ତ ନିଜେ ପିଉଛି –
ନିଜକୁ କଦାକାର କରିବାକୁ ସତେ ଯେମିତି ପ୍ରତିଜ୍ଞା କରିଛି ।
ଆଶ୍ରୟସ୍ଥଳି ଭିତରେ ସୁ ସୁ ଗର୍ଜନର ଶଦ୍ଦରେ ସ୍ଵାମୀ ସ୍ତ୍ରୀ ଛୁଆ ମାନେ କଳ୍ପନା ଜଳ୍ପନାରେ ଉବୁଟୁବୁ – ଘର ଅଛି ତ ?
ଜୀବନ ଯାକର ସାଇତା ସମ୍ବଳ ଯାହାକୁ – ହାଡ଼ ବାଡ଼େଇ ବାଡ଼େଇ ଠିଆ କରିଥିଲା – ସେ ଥିବ ଟି ? ଶତ ଆଶଙ୍କା ଭିତରେ କ୍ଷୀଣ ଆଶାଟିଏ ତଥାପି ବଞ୍ଚିବାର ରାହା ଦେଖାଏ ।
ଚିତ୍ରଶିଳ୍ପୀ ଚିତ୍ର ଆଙ୍କୁଛି କାନଭାସ୍ ଉପରେ – । କେବଳ ଛପର ଉଡ଼ି ଯାଇଥିବ । କଳା ପଲିଥିନ ପକେଇ ଚଳିଯିବି । ନା ଚାରି ପଟେ ଉଚ୍ଚାକୋଠାର ପାଚେରୀ ଅଛି – ପବନ ଲାଗୁନଥିବ । ବଡ଼ ବଡ଼ ଗଛ ଅଛି – ପବନ ସେଠି ଧରୁନଥିବ । ବଡ଼ମାନେ ସେତେ ବେଶୀ ସାହା ହୁଅନ୍ତିନି, କିନ୍ତୁ ସାହା ପାଇବାର ଆଶାରେ ଛୋଟ ମାନେ ବଞ୍ଚି ଯାଆନ୍ତି । ବଡ଼ମାନଙ୍କ ନକରାତ୍ମକ ଭାବନା ଭଳି ସେମାନଙ୍କର ବିଶେଷ ନଥାଏ ।
ତାଣ୍ଡବ ରଚି ସାରିବା ପରେ — ।
ବାଉଳା ଅଣନିଶ୍ବାସୀ ହୋଇ ଦୌଡ଼ିଲା । ଚାରିଆଡ଼େ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ତା ଭିତରେ କଷ୍ଟେମଷ୍ଟେ ଆଶଙ୍କା ଭିତରେ ଘରର ନିକଟବର୍ତ୍ତୀ ହେବାରେ ଲାଗିଲା ।
ଲୋଟି ପଡ଼ିଥିବା ଗଛ ମାନଙ୍କ ଭିତରେ ତା ଘର ଦେଖା ଯାଉନଥିଲା ।
ଥିବ ନଥିବ ଆଶା ଆଶଙ୍କା ଭିତରେ ସ୍ନାୟୁ ତନ୍ତ୍ରୀ ସବୁ ତୀବ୍ରତର ହେବାରେ ଲାଗିଲା ।
ଭାବିଲା – ଭୁଲରେ ଆଉ କେଉଁଠି ପହଞ୍ଚିଗଲି କି ?
ଚାରିଆଡ଼େ ସନ୍ତର୍ପଣରେ ଅନେଇଲା – ।
ଏଇ ସେଇ ପଣସ ଗଛ, ଏଇ ସେଇ ଆମ୍ବ ଗଛ । ମାଟିରେ ଲୋଟିଛନ୍ତି ।
ତା’ରି ତଳେ ମାଟିରେ ମିଶି ଯାଇଛି – ସରଗଠୁ ବଳି ସୁନ୍ଦର- ତା’ର ଘର ।
ଦଲକାଏ ପବନ ବାହାରି ଆସିଲା- ତା ନାକ ଆଉ ପାଟିରୁ ।
ବାତ୍ୟା ପବନର ବେଗ ଠାରୁ ଏ ହତାଶା – ଆଶଙ୍କାର ଉଜୁଡ଼ା ସଂସାରର ଦୀର୍ଘଶ୍ବାସର ଗତି, ଆହୁରି ଗତିଶୀଳ ଆହୁରି ଭୟଙ୍କର ।
ଶକ୍ତିହୀନ ହୋଇପଡ଼ୁଛି – ଆଖି କୋଣରେ ଲୁହ – ଛାତିରେ କୋହ । ନିଜ ଆଖି ସାମ୍ନାରେ – ବର୍ଷ ବର୍ଷର ସାଇତା ସମ୍ପର୍କର ମାଟି କାମୁଡ଼ି ପଡ଼ିଥିବା – ଜୀବ ଦଶା ଭିତରେ ବିରଳ ଦୃଶ୍ୟ — ।
ଯେ କେତେ ଘର ସଜାଡ଼ିଛି – ଆଜି ତାରି ଘର ଉଜୁଡ଼ି ଯାଇଛି । ଯୋଉ ହାତରେ ଅନ୍ୟର ଘର ସଜାଡ଼ିଛି ସେ ଘର ସବୁ ଛିଡ଼ା ହୋଇଛନ୍ତି । ଅଥଚ ସରାଗରେ – ଆଦରରେ ଯାହାକୁ ତିଆରି କରିଥିଲା – ସେ ମାଟିରେ ଶୋଇ ଯାଇଛି ।
ତା ଘରକୁ ତକିଆ କରି – ତା’ରି ଉପରେ ମୁଣ୍ଡ ଥୋଇ ଶୋଇଯାଇଛି – ବଡ଼ ଗଛଟି ।
ପଛେ ପଛେ ସ୍ତ୍ରୀ ଛୁଆମାନେ ପହଞ୍ଚିଗଲେ – । ଅଭାବନୀୟ ଦୃଶ୍ୟ ।
ଜୀବନ ଥିବା ଆତ୍ମୀୟଙ୍କୁ ହରାଇବା ବେଳେ ଯେଉଁ ଦୁଃଖ ନା ନିର୍ଜୀବ ଇଟା, ବାଲି – ଚୂନର କାନ୍ଥ ଆଉ ଅସ୍ଥାୟୀ ଛପର ଘରେ ଆତ୍ମା ସାଥୀରେ ଆତ୍ମାର ମିଳନର ବାସସ୍ଥଳୀ ମାଟିରେ ମିଶିବା ଦୁଃଖ – କିଏ ଅଧିକା ଆଜି ତଉଲିବା ବଡ଼ କଷ୍ଟ ହୋଇପଡ଼ୁଛି ।
ସରକାରୀକଳ ସ୍ଵେଚ୍ଛାସେବୀ ପ୍ରସ୍ତୁତ ଥିଲେ ରାସ୍ତା ସଫା କରିବାକୁ – ଉଜୁଡ଼ି ଯାଇଥିବା ଘର ଆଉ ଅନ୍ୟ କିଛି ଆକଳନ କରିବାକୁ ।
ଧୀରେ ଧୀରେ ସଫା ହେବାକୁ ଲାଗିଲା ।
ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ରାସ୍ତା ସଫା ହେବାକୁ ଲାଗିଲା ।
ସିଏ କାକୁତି ମିନତି ହେଉଛି – ମୋ ଘର ଉପରେ ପଡ଼ିଥିବା ଗଛ ସଫା କର – । ସମସ୍ତଙ୍କର ଉତ୍ତର – ଆଗ ରାସ୍ତା ସଫା ହେବ ।










