୧୩ ବର୍ଷ ପରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଆଣିଲେ ଗୌରବ
ଭୁବନେଶ୍ୱର: ଜାତୀୟସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି । ନୂଆଦିଲ୍ଲୀସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM) ପକ୍ଷରୁ ଆୟୋଜିତ ଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ସହ ପ୍ରତିଯୋଗିତା କରି ସୌମ୍ୟାଶ୍ରୀ ‘Indian Energy Basket 2047: Prospects and Challenges’ ବିଷୟବସ୍ତୁ ଉପରେ ଏକ ଉଚ୍ଚକୋଟୀର ଓ ତଥ୍ୟଭିତ୍ତିକ ଉପସ୍ଥାପନା କରି ବିଚାରକମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ । ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଏହି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି ।
ଏହି ଉଲ୍ଲେଖନୀୟ ସଫଳତା ପଛରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS)ର ମାର୍ଗଦର୍ଶନ ଓ ସହଯୋଗ, ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିରନ୍ତର ପ୍ରୟାସ, ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଓଡ଼ିଶାର ସହଯୋଗ ରହିଛି । ଏଥିସହ ତାଙ୍କ ବିଜ୍ଞାନ ଶିକ୍ଷକ, ମାର୍ଗଦର୍ଶକ ଓ ଅଭିଭାବକଙ୍କ ନିଷ୍ଠାପର ଉଦ୍ୟମ ଓ ପ୍ରେରଣା ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସୌମ୍ୟାଶ୍ରୀଙ୍କ ସଫଳତା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି । ତାଙ୍କର ଏହି ସଫଳତା ଗ୍ରାମାଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଉତ୍କର୍ଷ ହାସଲ କରିବାକୁ ପ୍ରେରଣା ଯୋଗାଇବ ।










