ଛତ୍ରପୁର: ଲଗାଣ ବର୍ଷା ସାଙ୍ଗକୁ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଗୋବା ନିକଟରେ ନଦୀବନ୍ଧ ଭାଙ୍ଗିଯାଇଛି। ଫଳରେ ନଦୀଜଳ ଆଖପାଖ ଅଞ୍ଚଳକୁ ପ୍ରବେଶ କରିବା ସହ ବରଙ୍ଗବଡ଼ମାଧପୁର ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏହା ଫଳରେ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ଋଷିକୂଲ୍ୟା ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅଧିକ ଜଳ ପ୍ରବାହ ଯୋଗୁ ଗୋବା ନିକଟରେ ନଦୀବନ୍ଧ ଦୁର୍ବଳ ହୋଇ ଭାଙ୍ଗିଯାଇଥିବା ଜଣାପଡ଼ିଛି।
ଘଟଣା ପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ବନ୍ଧ ମରାମତି ପାଇଁ ଘଟଣାସ୍ଥଳରେ ମୋରମ ପକାଇବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ନଦୀର ଜଳସ୍ତର ଓ ପାଣି ପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।ବନ୍ଧ ଭାଙ୍ଗିବା ଯୋଗୁ ଆଖପାଖ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ସ୍ଥିତିର ନିରନ୍ତର ଅନୁଧ୍ୟାନ କରାଯାଉଛି।ଏହି ଘଟଣା ସମ୍ପର୍କରେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତଆବଶ୍ୟକ ପଦକ୍ଷେପ ନେବା ସହ ବନ୍ଧ ମରାମତି ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।










