ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ‘ଅର୍ଣବ’କୁ ନେଇ ଚେତାବନୀ ଜାରି କରିଛି। ବାତ୍ୟା ଚେତାବନୀ କେନ୍ଦ୍ରର ନିର୍ଦ୍ଦେଶକ ପି.ଏଲ୍.ଏନ୍ ମୂର୍ତ୍ତିଙ୍କ ଅନୁସାରେ ‘ଅର୍ଣ୍ଣବ’ ଏବେ ବାତ୍ୟାର ବିପଦପୂର୍ଣ୍ଣ ବର୍ଗରେ ସାମିଲ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିବଳୟ ଘଣ୍ଟା ପିଛା ୨୩କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି ଏହାର ରୂପରେଖ ଆହୁରି ବଦଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆରମ୍ଭରୁ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଢ଼ିବ ଏବଂ ପରେ ଉତ୍ତର-ପଶ୍ଚିମ ଅଭିମୁଖେ ଦିଗ ବଦଳାଇ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ୟାନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ସ୍ପର୍ଶ କଲା ବେଳକୁ ବାତ୍ୟାର ଘଣ୍ଟା ପିଛା ପବନର ବେଗ ୧୨୫ରୁ ୧୩୫କିମି ରହିବାର ଅନୁମାନ କରାଯାଉଛି। କିନ୍ତୁ ଏହା ଘଣ୍ଟା ପିଛା ୧୫୦କିମି ପହଞ୍ଚି ପାରେ।










