25.1 C
Bhubaneswar
Monday, October 26, 2026
Homeଓଡିଶାଲକ୍ଷ୍ମୀଧରପୁରରେ ପାନୀୟ ଜଳ ଯୋଗାଣ ପୁନଃସ୍ଥାପିତ, ଖଲାଗାଁରେ ବୃକ୍ଷରୋପଣ କାର୍ଯ୍ୟର ଯାଞ୍ଚ

ଲକ୍ଷ୍ମୀଧରପୁରରେ ପାନୀୟ ଜଳ ଯୋଗାଣ ପୁନଃସ୍ଥାପିତ, ଖଲାଗାଁରେ ବୃକ୍ଷରୋପଣ କାର୍ଯ୍ୟର ଯାଞ୍ଚ

ନାଗରିକ ଓ ସରକାରଙ୍କ ଭିତରେ ସେତୁ ଭଳି କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଓ ପର୍ଯ୍ୟବେକ୍ଷଣ (ସିପିଗ୍ରାମ୍ସ) ବ୍ୟବସ୍ଥାର ସଫଳତା ସାମ୍ନାକୁ ଆସିଛି। ଏହିକ୍ରମରେ ଓଡ଼ିଶାର ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ପୃଥକ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ନିର୍ଦ୍ଧାରିତ ଅଧିକାରୀମାନେ ଅଭିଯୋଗର ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ସହ ସମସ୍ୟାକୁ ସମାଧାନ କରିଛନ୍ତି।

ପ୍ରଥମ ଅଭିଯୋଗରେ, ଖୋର୍ଦ୍ଧା ଜିଲ୍ଲାର ଲକ୍ଷ୍ମୀଧରପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ପୁନରୁଦ୍ଧାରକୁ ନେଇ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ଥିଲା, ଟାଙ୍ଗୀ ବ୍ଲକର ପାରିଓରଡ଼ା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀଧରପୁରରେ ଜଣେ ବସିନ୍ଦା ନିଜ ଘର ସାମ୍ନାରେ ବସାଯାଇଥିବା ସରକାରୀ ପାଇପଲାଇନ୍ କାମ କରିବା ବନ୍ଦ କରିଦେବା ପରେ ସେଠାରେ ବିଶୁଦ୍ଧ ପାନୀୟ ଜଳ ପାଇବା ଏକ ମୁଖ୍ୟ ସମସ୍ୟା ପାଲଟିଥିଲା। ଏହି ବ୍ୟାଘାତ ଯୋଗୁଁ ଗ୍ରାମବାସୀମାନେ ପାଣି ଆଣିବା ପାଇଁ ଦୂର ଦୂରାନ୍ତରକୁ ଯିବାକୁ ବାଧ୍ୟ ହୋଇଥିଲେ, ଯାହା ଫଳରେ ବିଶେଷ କରି ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।

ଏହି ପରିସ୍ଥିତିକୁ ନେଇ ଚିନ୍ତିତ ହୋଇ ଶ୍ରୀ ବିଷ୍ଣୁନାଥ ଦାଶ ସିପିଗ୍ରାମ୍ସ ପୋର୍ଟାଲ୍ ଜରିଆରେ ନିଜର ଅଭିଯୋଗ ପଞ୍ଜୀକୃତ କରିଥିଲେ। ଅଭିଯୋଗ ପଞ୍ଜୀକୃତ ହେବା ପରେ, ପଞ୍ଚାୟତରାଜ ମନ୍ତ୍ରଣାଳୟ ତୁରନ୍ତ ପଦକ୍ଷେପ ନେବା ପାଇଁ ଏହି ଅଭିଯୋଗକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାସ୍ଥଳ ଯାଞ୍ଚ କରିଥିଲେ ଏବଂ ପାଇପଲାଇନ୍ର ଏକ କ୍ଷତିଗ୍ରସ୍ତ ଅଂଶ ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଚିହ୍ନଟ କରିଥିଲେ। ସାଧାରଣ ଜଳ ପ୍ରବାହ ପୁନରୁଦ୍ଧାର ହେବା ନିଶ୍ଚିତ କରିବା ପାଇଁ କ୍ଷତିଗ୍ରସ୍ତ ପାଇପଲାଇନ୍ର ମରାମତି କରାଯାଇଥିଲା ଏବଂ ଏହାର ପରୀକ୍ଷଣ କରାଯାଇଥିଲା।

ପାଇପଲାଇନ୍ର ପୁନରୁଦ୍ଧାର ଦ୍ୱାରା ଶ୍ରୀ ଦାଶଙ୍କ ପରିବାର ଏବଂ ପଡ଼ୋଶୀ ପରିବାରଗୁଡ଼ିକ ପାଇଁ ପାନୀୟ ଜଳ ଯୋଗାଣ ପୁନର୍ବାର ଆରମ୍ଭ ହୋଇଥିଲା। ଭବିଷ୍ୟତରେ ଏହିପରି ସମସ୍ୟାର ପୁନରାବୃତ୍ତି ରୋକିବା ପାଇଁ କର୍ତ୍ତୃପକ୍ଷ ପାଇପଲାଇନ୍ର ନିୟମିତ ନଜର ରଖିବା ଏବଂ ରକ୍ଷଣାବେକ୍ଷଣ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣାଟି ଠିକ୍ ସମୟରେ ଅଭିଯୋଗର ସମାଧାନ କରିବାରେ ଏବଂ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକ ସର୍ବସାଧାରଣ ସେବାରେ ସୁଧାର ଆଣିବାରେ ସିପିଗ୍ରାମସର ପ୍ରଭାବଶାଳୀତାକୁ ଦର୍ଶାଉଛି।

ସେହିପରି ସିପିଗ୍ରାମ୍ସ ପୋର୍ଟାଲରେ ଦାଖଲ ହୋଇଥିବା ଆଉ ଏକ ଅଭିଯୋଗ ‘ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମର ସତ୍ୟାସତ୍ୟକୁ ସାମନାକୁ ଆଣିଥିଲା ସେ ବିଷୟ ଏଠାରେ ଉଲ୍ଲେଖ ଯୋଗ୍ୟ। ଅଭିଯୋଗ ଆସିଥିଲା, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକସ୍ଥିତ ଖଲାଗାଁରୁ।

ଖଲାଗାଁ ଗ୍ରାମରେ ‘ଏକ ପେଡ୍ ମାଁ କେ ନାମ ୨.୦’ ଅଭିଯାନ ଅଧୀନରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକୁ ନେଇ ଅନିୟମିତତା ଏବଂ ଅର୍ଥ ହଡ଼ପ ଅଭିଯୋଗ ଉଠିଥିଲା। ଚିହ୍ନଟ କରାଯାଇଥିବା ସ୍ଥାନଗୁଡ଼ିକରେ ପ୍ରକୃତରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଶ୍ରୀ ମନୋଜ ନାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ପରେ, ଜିଲ୍ଲାସ୍ତରୀୟ ତଦନ୍ତକାରୀ ଦଳ ଗ୍ରାମବାସୀ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ରସ୍ତରୀୟ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ମା’ ବୁଢ଼ୀସାହାରେଈ ମନ୍ଦିର ପରିସର ଏବଂ ବାଲିଟାବୁ ପୋଖରୀ ନିକଟରେ ବୃକ୍ଷରୋପଣ କାର୍ଯ୍ୟ ହୋଇଥିବା ନିଶ୍ଚିତ ହୋଇଥିଲା। ଏହି ସ୍ଥାନଗୁଡ଼ିକରେ ପ୍ରାୟ ୫୦୦ଟି ଚାରା ରୋପଣ କରାଯାଇଥିବା ସହ ସେଗୁଡ଼ିକର ସୁରକ୍ଷା ପାଇଁ ଟ୍ରି ଗାର୍ଡ ଲଗାଯାଇଥିବା ଜଣାପଡ଼ିଥିଲା।

କ୍ଷେତ୍ରସ୍ତରୀୟ ତଦନ୍ତ, ଗ୍ରାମବାସୀଙ୍କ ବୟାନ ଏବଂ ଫଟୋଗ୍ରାଫିକ୍ ପ୍ରମାଣରୁ ଏହା ପ୍ରମାଣିତ ହୋଇଥିଲା ଯେ ବୃକ୍ଷରୋପଣ କାର୍ଯ୍ୟ ସମ୍ପାଦନ କରାଯାଇଛି ଏବଂ କୌଣସି ପ୍ରକାରର ଅନିୟମିତତା, ଜାଲିଆତି କିମ୍ବା ମିଥ୍ୟା ପରିଚାଳନା ମିଳିନଥିଲା। ଅଭିଯୋଗଗୁଡ଼ିକର କୌଣସି ଭିତ୍ତି ନଥିବାରୁ ଏହି ଅଭିଯୋଗକୁ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା। ଏହି ଘଟଣାଟି ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାରେ ସିପିଗ୍ରାମ୍ସର ଭୂମିକାକୁ ଦର୍ଶାଉଛି।

ସିପିଗ୍ରାମ୍ସ ପୋର୍ଟାଲ ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଦ୍ୟମ ଯେଉଁଠାରେ କୌଣସି ବି ସାଧାରଣ ନାଗରିକ ବିନା କୌଣସି ଶୁଳ୍କରେ ଅଭିଯୋଗ ଦାଖଲ କରିପାରିବେ। ଖାଲି ସେତିକି ନୁହେଁ ଏହି ଅଭିଯୋଗ ତୁରନ୍ତ ସାହି ଅଧିକାରୀଙ୍କ ପାଖକୁ ଏହି ପୋର୍ଟାଲ ଜରିଆରେ ସ୍ଥାନାନ୍ତରୀତ ହୋଇଥାଏ। ଅଧିକାରୀ ଯେଉଁ କର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତାହା ସିଧାସଳଖ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଜାଣିବାକୁ ମଧ୍ୟ ମିଳେ। ଏହାପରେ ଅଭିଯୋଗକାରୀ ନିଜର ଫିଡବ୍ୟାକ୍ ବା ମତାମତ ରଖିବାକୁ ମଧ୍ୟ ସୁଯୋଗ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking