25.1 C
Bhubaneswar
Sunday, October 25, 2026
Homeଓଡିଶାପଞ୍ଚାୟତ ନିର୍ବାଚନ ଐକ୍ୟବଦ୍ଧ ଭାବେ ଲଢ଼ିବାକୁ ସଂକଳ୍ପ ନେଲେ କଂଗ୍ରେସ ନେତା

ପଞ୍ଚାୟତ ନିର୍ବାଚନ ଐକ୍ୟବଦ୍ଧ ଭାବେ ଲଢ଼ିବାକୁ ସଂକଳ୍ପ ନେଲେ କଂଗ୍ରେସ ନେତା

ବିଜେପିର ଡବଲ-ଇଂଜିନ ସରକାରର ମଳିନ ଛବି, ରାହୁଲ ଗାନ୍ଧିଙ୍କ କ୍ରମବର୍ଦ୍ଧିଷ୍ଣୁ ଜନପ୍ରିୟତା ତଥା କଂଗ୍ରେସ ନେତାକର୍ମୀଙ୍କ ଅଦମ୍ୟ ଉତ୍ସାହ ବଳରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ପଛରେ ପକାଇ ସବୁଠୁ ଅଧିକ ସଫଳତା ପାଇବ। ଏମିତିରେ ମଧ୍ୟ ବିଜେପି ପ୍ରତିଦିନ ହରାଇଚାଲିଥିବା ଜନାଦେଶକୁ ସାଧାରଣରେ କଂଗ୍ରେସ ସପକ୍ଷରେ ସ୍ଥାନାନ୍ତରିତ ହେବା ସମସ୍ତେ ଲକ୍ଷ୍ୟ କରୁଛନ୍ତି ବୋଲି ରବିବାର ମଧ୍ୟାହ୍ନରେ ପିସିସିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଅଧ୍ୟକ୍ଷତା କରି ଏଆଇସିସିର ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ ମତବ୍ୟକ୍ତ କରିଛନ୍ତି। ନିଜ ଦଳର ନେତା ଓ ନିଜ ସାମର୍ଥ୍ୟ ଉପରେ ବିଶ୍ବାସ କରିବା ଆରମ୍ଭ କଲେ କଂଗ୍ରେସକୁ ଓଡ଼ିଶାରେ କେହି ରୋକିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନିଜ ରାଜ୍ୟ ଗୁଜରାଟରେ ଦଳ ୩୭ ପ୍ରତିଶତ ଭୋଟ ହାତେଇଥିବା ବେଳେ ୫ ହଜାର ଲୋକଙ୍କର ସମାବେଶଟିଏ ଆୟୋଜନ କରିବା କଷ୍ଟକର ହେଉଥାଏ। ତେବେ ଓଡ଼ିଶାରେ ମାତ୍ର ସାଢ଼େ ୧୩ ପ୍ରତିଶତ ଭୋଟ ହାତେଇ ମଧ୍ୟ ଦଳର ନେତାମାନେ ଅନାୟାସରେ ୫-୭ ହଜାର ଲୋକଙ୍କ ସମାବେଶ କରିଦେଇପାରନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ସଂଗଠିତ ଭାବେ ପରିଶ୍ରମ କଲେ ଦଳ ବିଜୟୀ ହେବା ସୁନିଶ୍ଚିତ। ପିସିସି ସଭାପତି ଭକ୍ତ ଚରଣ ଦାସ ଦଳର ରାଜ୍ୟ ସଂଗଠନ କିପରି ତୃଣମୂଳ ସ୍ତର ଯାଏ ପହଞ୍ଚିବା ଉପରେ ତା’ର ସୂଚନା ଦେବା ସହ ପଂଚାୟତ ନିର୍ବାଚନରେ ଦଳର ବଡ଼ ନେତାମାନେ ନିଜନିଜ ଜିଲ୍ଲାର ଦାୟିତ୍ବ ନେବାକୁ ଆହ୍ବାନ ଦେଇଥିଲେ।

ଉପସ୍ଥିତ ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସ୍ତାବ ଦେବାପରେ ସର୍ବସମ୍ମତ କ୍ରମେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। ପଞ୍ଚାୟତ ନିର୍ବାଚନ ଐକ୍ୟବଦ୍ଧ ଭାବେ ଲଢ଼ିବାକୁ ସଂକଳ୍ପ ନେଇଥିଲେ ଉପସ୍ଥିତ କଂଗ୍ରେସ ନେତା। ଏହି ନିର୍ବାଚନରେ ଓବିସି ସଂରକ୍ଷଣ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏମ୍‌ଏମ୍‌ଡିଆର ଓ ଏସଆଇଆର ପ୍ରସଙ୍ଗକୁ ଓଡ଼ିଶାର ଘରେଘରେ ପହଞ୍ଚାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସଂକଳ୍ପ ନିଆଯାଇଥିଲା। ଏହି ଦୁଇ ପ୍ରସଙ୍ଗ କ’ଣ, ତାହା ରାଜ୍ୟବାସୀଙ୍କୁ ସହଜରେ ବୁଝାଇବାକୁ ଆଇନଜୀବୀମାନଙ୍କୁ ଦଳ ପକ୍ଷରୁ ତୃଣମୂଳ ସ୍ତରକୁ ପଠାଯିବାକୁ ନରସିଂହ ମିଶ୍ର ପ୍ରସ୍ତାବ ଦେଇଥିଲେ। ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ପୁଂଜିପତି ବନ୍ଧୁଙ୍କ ସ୍ବାର୍ଥ ପାଇଁ ମୋଦୀ ଜନବିରୋଧୀ ଡାଟା ସେଣ୍ଟର ନେଇ ଓଡ଼ିଶା ଆସୁଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମତବ୍ୟକ୍ତ କରିବା ସହ ଏହା ହେଲେ ଓଡ଼ିଶା କିପରି ଜଳ ଓ ବିଦ୍ୟୁତ ସଂକଟର ସମ୍ମୁଖୀନ ହେବ, ତା’ର ବିବରଣୀ ଦେଇଥିଲେ। ନଭେମ୍ବର ୧ ଦିଲ୍ଲୀ ସମାବେଶରେ ଓଡ଼ିଶାରୁ ହଜାରହଜାର ସଂଖ୍ୟାରେ କିପରି ଯୋଗଦେବେ କଂଗ୍ରେସ ନେତା ଓ କର୍ମୀ, ତା’ର ଏକ ରୂପରେଖ ଚୂଡ଼ାନ୍ତ ହୋଇଥିଲା। ଦଳ ପକ୍ଷରୁ ପୂର୍ବପରି ‘କଂଗ୍ରେସ ବାର୍ତ୍ତା’ ପ୍ରକାଶନ ସପକ୍ଷରେ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ମତପ୍ରକାଶ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ କେନ୍ଦ୍ରରେ ଖଣିମନ୍ତ୍ରୀ ବେଳର ଅଭିଜ୍ଞତା ବର୍ଣ୍ଣନା କରି ଏମଏମଡିଆର ସଂଶୋଧିତ ଅଧିନିୟମ କିପରି ଆଦିବାସୀଙ୍କ ସ୍ବାର୍ଥର ପରିପନ୍ଥୀ, ତା’ର ଅବତାରଣା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଦୁଇ ସହ-ପ୍ରଭାରୀ ଜେଟି କୁସୁମ କୁମାର ଓ ମୟୂରା ଜୟକୁମାର, ପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନଗେନ୍ଦ୍ରନାଥ ପ୍ରଧାନ ଓ ଅମରନାଥ ପ୍ରଧାନ, ପୂର୍ବତନ ସାଂସଦ ଅନନ୍ତ ସେଠୀ ଓ ଡ.ରାମଚନ୍ଦ୍ର ଖୁଣ୍ଡିଆ, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଶରତ ରାଉତ, ପିସିସି ଉପସଭାପତି ସସ୍ମିତା ବେହେରା, ବରିଷ୍ଠ ନେତା ଶିବାନନ୍ଦ ରାୟ, ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି ଓ ଛାତ୍ରକଂଗ୍ରେସ ରାଜ୍ୟ ସଭାପତି ବିଭୁତି ଭୂଷଣ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ, ତ୍ରିନାଥ ବେହେରା, ରାମଚନ୍ଦ୍ର ହାଁସଦା, ଡା. ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking