ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଏସିଆରେ ଅପରାଧୀ ଏବଂ ଆତଙ୍କବାଦୀ ସଙ୍ଗଠନର ନୂଆ ଅସ୍ତ୍ର ପାଲଟିଛି ଶସ୍ତା ଡ୍ରୋନ୍ । ଜେଲ୍ରେ ଡ୍ରଗ୍ସ ଯୋଗାଣ, ସୈନ୍ୟ ଠିକଣାର ଗୁଇନ୍ଦାଗିରି ଏବଂ ଗିରଫଦାରିରୁ ବର୍ତ୍ତିବାକୁ ପୁଲିସ ଉପରେ ନଜର ରଖିବା ଲାଗି ଏହାକୁ ବ୍ୟବହାର କରାଯାଉଛି । ରିପୋର୍ଟ ମୁତାବକ, ଦକ୍ଷିଣ-ପୂର୍ବ ଏସିଆର ୭ଟି ଦେଶରେ ଡ୍ରୋନ୍ ସହ ଜଡି଼ତ ଅବୈଧ ଗତିବିଧି ସାମ୍ନାକୁ ଆସିଛି । ଚଳିତବର୍ଷ ଅଗଷ୍ଟ ମାସ ଯାଏ ଏ ସଂପର୍କରେ ରେକର୍ଡ ହୋଇଥିବା ମାମଲା ଗୁଡ଼ିକ ମଧ୍ୟରୁ ୮୬ ପ୍ରତିଶତ ଡ୍ରଗ୍ସ ଚାଲାଣ ସହ ଜଡି଼ତ ଥିଲା । ଥାଇଲାଣ୍ଡରେ ୪,୫୮୩ଟି ଡ୍ରୋନ୍ ଜବତ ହୋଇଥିଲା ।
ମାଲେସିଆରେ ୨୦୨୪ରେ ଡ୍ରୋନ୍ ଦ୍ୱାରା ଜେଲ୍ରେ ଡ୍ରଗ୍ସ ପହଞ୍ଚାଯିବାର ୫୫ଟି ମାମଲା ସାମ୍ନାକୁ ଆସିଥିଲା । ସେହିଭଳି ମ୍ୟାଁମାରରେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ୬୦୦ଟି ସ୍ଥାନରେ ୨୧୦୦ ଡ୍ରୋନ୍ ଆକ୍ରମଣ କରିଥିଲେ । ଇଣ୍ଡୋନେସିଆରୁ ସିରିଆରେ ଥିବା ଆତଙ୍କବାଦୀଙ୍କ ନିକଟକୁ ଡ୍ରୋନ୍ ଯନ୍ତ୍ରାଂଶ ପଠାଉଥିବା ଏକ ନେଟୱର୍କ ବି ଧରାପଡି଼ଥିଲା । ଅଧ୍ୟୟନ ଅନୁସାରେ, ଚୀନ୍ରେ ପ୍ରସ୍ତୁତ କରାଯାଉଥିବା ଡ୍ରୋନ୍ ଏବଂ ସେଗୁଡି଼କର ଯନ୍ତ୍ରାଂଶକୁ ସାଧାରଣ ବାଣିଜ୍ୟିକ ନେଟୱର୍କ, ଯାତ୍ରୀବାହୀ ବିମାନ ଏବଂ ଅନ୍ଲାଇନ ପ୍ଲାଟଫର୍ମ ଜରିଆରେ ଅନ୍ୟଦେଶକୁ ଚୋରାଚାଲାଣ ଲାଗି ଉଦ୍ୟମ ହେଉଛି । ଇଣ୍ଡୋନେସିଆରେ ସେପ୍ଟେମ୍ବର ୨୦୨୪ରେ ପୋପ୍ ଫ୍ରାନ୍ସିସଙ୍କ ଯାତ୍ରା ସମୟରେ ଆକ୍ରମଣ ମାମଲାରେ ୭ ଜଣ ଗିରଫ ହୋଇଥିଲେ । ସେମାନଙ୍କ ନିକଟରୁ ମିନି ଡ୍ରୋନ୍ ମିଳିଥିଲା ।










